ବିମାନ ବନ୍ଦରରେ ବଗିଚା ଭ୍ରମ, ୫ ହଜାର କୋଟିରେ ନିର୍ମାଣ ହୋଇଛି କେମ୍ପାଗୋଡାର ଟର୍ମିନାଲ ୨

ବେଙ୍ଗାଲୁରୁ: ନଭେମ୍ବର ୧୧ରେ କେମ୍ପାଗୋଡା ବିମାନ ବନ୍ଦରର ନବନିର୍ମିତ ଟର୍ମିନାଲ ୨ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଏୟାରପୋର୍ଟ ଯାତ୍ରୀଙ୍କ ପାଇଁ ଲାଭଦାୟକ ରହିବ । ଯାତ୍ରୀଙ୍କ ଚେକ୍‌ ଇନ ଓ ଇମିଗ୍ରେସନ ବ୍ୟତୀତ ବିମାନ ବନ୍ଦରରେ କ୍ଷମତା ଧାରଣ ଦୁଇଗୁଣ ହୋଇଯିବ ।
ପ୍ରତିବର୍ଷ ଯାତ୍ରୀ ଧାରଣ କରିବାର କ୍ଷମତା କେମ୍ପାଗୋଡା ବିମାନ ବନ୍ଦରରେ ୨.୫ କୋଟି ରହିଛି । ଟର୍ମିନାଲ ୨ ଉଦଘାଟନ ପରେ ଏହା ୫ରୁ ୬ କୋଟିରେ ପହଞ୍ଚିବ ।

ସେହପରି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବେଙ୍ଗାଲୁରୁ ସହରର ସଂସ୍ଥାପକଙ୍କ ୧୦୮ ଫୁଟ ଉଚ୍ଚ କାଂସ୍ୟ ପ୍ରତିମାର ଉଦଘାଟନ କରିବେ । ହ୍ୟାଙ୍ଗିଙ୍ଗ ଗାର୍ଡେନ, ସବୁଜ ଘାସ ନିର୍ମିତ କରିଡର, ଫୁଲ ସଜ୍ଜିତ କାନ୍ଥ ନିଶ୍ଚିତ ରୂପେ କେମ୍ପାଗୋଡାରେ ଯାତ୍ରୀଙ୍କୁ ଆକର୍ଷିତ କରିବ ।

ବେଙ୍ଗାଲୁରୁର ଗାର୍ଡନ ସିଟି ଭାବେ କେମ୍ପାଗୋଡା ବିମାନ ବନ୍ଦରକୁ ସଜ୍ଜିତ କରାଯାଇଛି । ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ବଗିଚାରେ ବୁଲିବା ସଦୃଶ ଅନୁଭବ ହେବ । ୧୦ ହଜାର ବର୍ଗମିଟରରୁ ଅଧିକ ଏରିଆରେ ସବୁଜ କାନ୍ଥ, ଝୁଲୁଥିବା ବଗିଚା ଉଦ୍ଦ୍ୟାନକୁ ଯାତ୍ରୀ ମାନେ କେମ୍ପାଗୋଡାରେ ଉପଭୋଗ କରିପାରିବେ । ସ୍ବଦେଶୀ ଟେକନିକରେ ଏହି ବଗିଚା ଗୁଡିକୁ ଭାରତରେ ନିର୍ମାଣ କରାଯାଇଛି ।