ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି
1 min readନୂଆଦିଲ୍ଲୀ: ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି- ଆସନ୍ତା ବର୍ଷ ହେବାକୁ ଥିବା ବିଧାନସବା ନିର୍ବାଚନରେ କୌଣସି ଗଠବନ୍ଧନ ହେବ ନାହିଁ। ତାଙ୍କ ଦଳ ଏକାକୀ ବିଧାନସଭା ନିର୍ବାଚନ ଲଢିବ। ସେ କହିଛନ୍ତି- ଦିଲ୍ଲୀବାସୀ ଆତଙ୍କରେ ବଞ୍ଚୁଛନ୍ତି। ସଡକରେ ଗୁଳିମାଡ କରୁଛନ୍ତି। ଲାଗୁଛି ଗ୍ୟାଙ୍ଗଷ୍ଟରମାନେ ରାଜ୍ କରୁଛନ୍ତି। ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଦିଲ୍ଲୀରେ ବ୍ୟବସାୟୀମାନେ ଆଶଙ୍କା ଭିତରେ କାଳ କାଟୁଛନ୍ତି। ଦିଲ୍ଲୀରେ ହତ୍ଯାକାଣ୍ଡ ବୃଦ୍ଧି ପାଉଛି। ଦିଲ୍ଲୀରେ ବୟସ୍କମାନଙ୍କ ଜୀବନ ନିରାପଦ ନୁହେଁ। ମହିଳାମାନଙ୍କ ସ୍ଥିତି ବି ଭଲ ନାହିଁ। ଗଣଦୁଷ୍କର୍ମ ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଦିଲ୍ଲୀର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି କ୍ଷେତ୍ରରେ ଆପ୍ ସରକାର ବହୁତ କିଛି କରିଛନ୍ତି। ହେଲେ ଆଇନଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ଗୃହମନ୍ତ୍ରାଳୟ ଅଧୀନରେ ଆସୁଛି। ସେଥିପାଇଁ କେନ୍ଦ୍ର ଦୃଷ୍ଟି ଦେବା ଦରକାର। ସେ ଆହୁରି କହିଛନ୍ତି ତାଙ୍କର ଦୋଷ କଣ। ସର୍ବସାଧାରଣଙ୍କ ନିରାପତ୍ତା ଓ ଅପରାଧ ନେଇ କେବଳ ବାହାସ୍ଫୋଟ ମରାଯାଉଛି। ହେଲେ ଏହାର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗ୍ଯାଙ୍ଗଷ୍ଟରମାନଙ୍କୁ ଗିରଫ କରାଯାଉନାହିଁ। ପ୍ରତିବଦଳରେ ତାଙ୍କ ପରି ଲୋକଙ୍କୁ ଟାର୍ଗେଟ କରାଯାଉଛି। ଗତକାଲି ତାଙ୍କ ଉପରେ ପଦଯାତ୍ରାବେଳେ ତରଳ ପଦାର୍ଥ ଫୋପଡା ଗଲା। ଗତକାଲି ଆପ୍ ଏମଏଲଏଙ୍କୁ ବି ଗିରଫ କରାଯାଇଥିଲା।