କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେଜ୍ରିଓ୍ବାଲ

ଚେନ୍ନାଇ: ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ଡିଏମକେର ସମର୍ଥନ ମାଗିବେ। କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଆସନ୍ତାକାଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ କେଜ୍ରିଓ୍ବାଲ ଭେଟିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପ୍ କୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି। ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି।

ଗତ ମେ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା, ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଛି। ରାଜ୍ୟସଭାରେ ବିଜେପିର ବହୁମତ ନଥିବାରୁ ବିରୋଧୀ ଏକାଠି ହୋଇ ଅଧ୍ୟାଦେଶ ପାସ୍ କରାଇ ନଦେବାକୁ ଯୋଜନା କରୁଛନ୍ତି ଦିଲ୍ଲୀର ଆପ୍ ସରକାର ।