କେନ୍ଦ୍ର ବିରୋଧରେ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିରୋଧରେ ସମର୍ଥନ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ । ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ୍ ସିଗନାଲ ଦେଇଥିଲେ ଷ୍ଟାଲିନ । କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପକୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି । ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି । ଗତ ମେ’ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର । ସରକାରୀ କର୍ଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଥିଲେ ।