ଚିରସବୁଜ ରହିବାକୁ ମଣିଷ ମାଂସ ରାନ୍ଧି ଖାଇଲେ କେରଳ ଦମ୍ପତି

ଥିରୁଅନନ୍ତପୁରମ: ଭାଗ୍ୟ ପରିବର୍ତ୍ତନ ଲାଗି ଦୁଇ ମହିଳାଙ୍କୁ ବଳି । ପ୍ରଥମେ ଅପହରଣ ଓ ହତ୍ୟା ପରେ ମହିଳାଙ୍କ ମାଂସ ରାନ୍ଧି ଖାଇଥିଲେ ଅଭିଯୁକ୍ତ  । କେରଳରେ ଘଟିଥିବା ଏହି ଲୋମହର୍ଷକ ଘଟଣା ଚର୍ଚ୍ଚାର କାରଣ ପାଲଟିଛି । ଜଣେ ତଥାକଥିତ ବାବା ସେମାନଙ୍କୁ ବଳି ଦେଇଥିବା ସୂଚନା ମିଳିଛି । କେରଳ ଥିରୁଭାଲା ପଠାନମିଥିଟାର ଏଲାନଥୁରରେ ଘଟିଥିବା ଏହି ଲୋମହର୍ଷକ ଘଟଣାରେ ମହମ୍ମଦ ସାଫି ଓରଫ ରସିଦ, ଭାଗାବେଲ ସିଂ ଓ ତାଙ୍କ ପତ୍ନୀ ଲୈଲା ସାମଲି ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ଯରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ଜଣଙ୍କୁ ଅଟକ ରଖାଯାଇଛି ।

ଅଭିଯୁକ୍ତମାନେ ଦୁଇ ମହିଳାଙ୍କୁ ଅପହରଣ କରି ଅତି କ୍ରୂର ଉପାୟରେ ସେମାନଙ୍କ ମୁଣ୍ଡକାଟି ପୋତିଦେଇଥିଲେ ବୋଲି କହିଛନ୍ତି କୋଚି ସିଟି ପୋଲିସ କମିଶନର ସି.ଏଚ. ନାଗାରାଜୁ । ଦୁଇ ମହିଳାଙ୍କ ମୃତଦେହକୁ ପଠାନମିଥିଟାର ଏଲାନଥୁରରୁ ଉଦ୍ଧାର କରାଯାଇଛି । ଗତ ଜୁନ ମାସରେ ରୋଜଲିନ ଓ ସେପ୍ଟେମ୍ବରରେ ପଦ୍ମା ନାମ୍ନୀ ମହିଳା ନିଖୋଜ ହୋଇଯାଇଥିଲେ । ପରେ ବିଭିନ୍ନ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ସେମାନଙ୍କୁ ଅପହରଣ କରିନିଆଯାଇ ବଳି ଦିଆଯାଇଥିଲା ।

ସବୁଦିନ ଚିରସବୁଜ ରହିବା ପାଇଁ ଏହି ଦମ୍ପତିଙ୍କୁ ମଣିଷ ମାଂସ ଖାଇବାକୁ ପ୍ରବର୍ତ୍ତାଇଥିଲା ତଥାକଥିତ ବାବା ସାଫି । ସେହିପରି କିଛି ଦିନ ପରେ ଭାଗାବେଲ ସିଂ ଓ ତାଙ୍କ ପତ୍ନୀ ଲୈଲା ଆର୍ଥିକ ଦୁଃସ୍ଥିତିରୁ ରକ୍ଷା ପାଇବା ଲାଗି ମହମ୍ମଦ ସାଫି ତାଙ୍କୁ ପରାମର୍ଶ ଦେଇଥିଲା  । ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ଏଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ଦମ୍ପତି ।