ଦିଲ୍ଲୀ ମଦ ନୀତି ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅକୁ ଇଡିର ସମନ

ହାଇଦ୍ରାବାଦ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦବଙ୍ଗଗିରି । ଦିଲ୍ଲୀ ମଦ ନୀତି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତାକାଲି କବିତାଙ୍କୁ ଜେରା କରିବ ଇଡି । ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କବିତାଙ୍କୁ ଦୀର୍ଘ ୭ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଯାଏ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ କବିତାଙ୍କୁ ସମନ ଜାରି କରିଛି ଇଡି ।

ଏହା ସହ ଅନ୍ୟତମ ମଦ ଡିଲର ଅମନଦୀପ ଢାଲଙ୍କୁ ବି ମାର୍ଚ୍ଚ ୨୧ ଯାଏ ବିଚାରବିଭାଗୀୟ ହେପାଜତକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମଦ ନୀତି ମାମଲାରେ କବିତା ପରୋକ୍ଷ ଭାବେ ଉପକୃତ ହୋଇଥିବା ନେଇ ଅଭିଯୋଗ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମଦ ନୀତି ମାମଲାରେ ଦିଲ୍ଲୀର ଏଲଜି ଭିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗତବର୍ଷ ପ୍ରତ୍ୟାହୃତ ହୋଇଥିଲା ନୂଆ ମଦ ନୀତି । ସିବିଆଇ ତଦନ୍ତ ପରଠାରୁ ବଢିଚାଲିଛି ଦିଲ୍ଲୀ ସରକାରଙ୍କ ଲାଗି ଅଡୁଆ ।

ସେପଟେ ସିବିଆଇ ଓ ଇଡିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କବିତା । ବିଜେପିର ଏହା ଏକ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ । କେନ୍ଦ୍ରର କୃଷକମାରଣ ନୀତି ଓ ପୁଞ୍ଜିବାଦୀ ତୋଷଣ ନୀତିକୁ ବିଆରଏସ ନେତା ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପଦାରେ ପକାଉଥିବାରୁ ଏହା ବିରୋଧରେ କେନ୍ଦ୍ର ପଦକ୍ଷେପ ନେଉଛି ବୋଲି କହିଛନ୍ତି କବିତା । ତେଣେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରେ ଥିବାବେଳେ ତାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ମାର୍ଚ୍ଚ ୨୦ ଯାଏ ରହିଛି ।