ଜଳାଭିଷେକ କରିବାକୁ ଆସି ଭାସିଗଲେ କାଉଡ଼ିଆ

ଢେଙ୍କାନାଳ: ମନରେ ଭକ୍ତି ଭାବ ଓ ଦେବଦେବ ମହାଦେବଙ୍କ ପାଖରେ ମାନସିକ ରଖି ଜଳାଭିଷେକ କରିବାକୁ ଯାଉଥିବା କାଉଡିଆଙ୍କ ସମ୍ପର୍କରେ ଅନେକ ଅଘଟଣ ଖବର ସାମ୍ନାକୁ ଆସୁଛି । ଗତକାଲି ରାତିରେ କୋଲକାତାରେ ମଧ୍ୟ ୧୦ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃ୍ତ୍ୟୁବରଣ କରିଥିଲେ । ସେହିପରି ଢେଙ୍କାନାଳରେ ମଧ୍ୟ ଏକ ଅଘଟଣ ଘଟିଛି । ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଯାଇଛନ୍ତି କାଉଡ଼ିଆ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମପାର୍ଶ୍ଵ କେନାଲରେ । ନିଖୋଜ ଜଣଙ୍କ ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମ ସୁନ୍ଦର ବାରିକ ।

ଶ୍ୟାମସୁନ୍ଦର ନିଜ ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥିଲେ । କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କୂଳରେ ବସିଥିବା ସାଙ୍ଗ ଜଣଙ୍କ ଉଦ୍ଧାର କରିଥିଲେ । ମାତ୍ର ଶ୍ୟାମସୁନ୍ଦରକୁ ଉଦ୍ଧାର କରି ପାରିନଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏ ନେଇ ପରଜଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି ।