ସାବଧାନ ! ମାତିଛନ୍ତି ଅନ୍‌ଲାଇନ୍‌ ଠକ, କେବିସି ଲଟେରୀ ନାଁରେ ଥୋପ ପକାଇ କରୁଛନ୍ତି ଲୁଟ୍‌

KBC FRAUD

ଭୁବନେଶ୍ୱର: ସାବଧାନ, ମାତିଛନ୍ତି ଅନଲାଇନ ଠକ । ଆପଣଙ୍କଠାରୁ ନେଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା । ନୂଆ ତରିକାରେ ଏବେ ଲୋକଙ୍କୁ କଳାକନା ବୁଲାଉଛନ୍ତି ଏହି ସାଇବର ଠକ । ଏମେତି ସେମିତି ନୁହେଁ, କେବିସି ଲଟେରୀ ନାଁରେ ଥୋପ ପକାଉଛନ୍ତି ଲୁଟେରା ।

ଜାଲରେ ପଡ଼ିଲେ ହ୍ୱାଟ୍‌ସଆପ୍‌ରେ ଠକ ଦେଖାଉଛନ୍ତି ଲୋଭ । ଦେଖାଉଛନ୍ତି ପୁଳାପୁଳା ଟଙ୍କା । ଆଉ ଏଭଳି ଟଙ୍କାକୁ ଯେ କେହି ବି ଦେଖିବ ଫାଶରେ ନିଶ୍ଚୟ ପଡ଼ିବ । ଯିଏ ଫାଶରେ ପଡ଼ିବ, ତା ଆକାଉଣ୍ଟରୁ ଚଳୁ କରିନେବେ ଟଙ୍କା । ଖାଲି ସେତିକି ନୁହେଁ, ନିର୍ଦ୍ଦିଷ୍ଟ ଚ୍ୟାନେଲର ରାଣା ପ୍ରତାପ ସିଂ ନାମକ ବ୍ୟକ୍ତିଙ୍କ ପଚିଚୟ ଦେଇ ଲୋକଙ୍କୁ ଠକମାନେ ଫୋନ୍‌ କରନ୍ତି ।

ଏବେ ସାମ୍ନାକୁ ଆସିଛି ଏଭଳି ଏକ ଭିନ୍ନ ଷ୍ଟାଇଲର ଲୁଟ୍‌ ଘଟଣା । ଯେଉଁଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୋନପୁରର ହେମନ୍ତ ମେହେର । ଲଟେରୀ ଉଠିଥିବା ଶୁଣି ତାଜୁବ ହୋଇ ଯାଇଥିଲେ ହେମନ୍ତ । ଆଉ ଏହି ଠକଙ୍କୁ ଟଙ୍କା ରଖିନଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ । ଏହାପରେ ହେମନ୍ତଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ ଠକ୍ ଗ୍ୟାଙ୍ଗ୍‌ । ସନ୍ଦେହ ହେବାରୁ ଏନେଇ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରିଛନ୍ତି ଠକାମୀର ଶିକାର ହୋଇଥିବ ଯୁବକ । ତେବେ ଏସବୁରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ଡିସିପି ଅପିଲ କରିଛନ୍ତି ।

Leave a Reply