କ’ଣ ସେହି କୋଟିଏ ଟଙ୍କାର ପ୍ରଶ୍ନ? ଯାହାର ଉତ୍ତର ଦେଇପାରିଲେନି ଗୁଗୁଲ ବୟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛି ’କୈନ ବନେଗା କୋରଡ଼ପତି’ର ଲାଟେଷ୍ଟ ଏପିସୋଡ୍। ଗୁଗୁଲ ବୟ ନାମରେ ଜଣାଶୁଣା ୮ ବର୍ଷୀୟ ବିରାଟ ଆୟର ଏହି ସୋ’ରେ ଭାଗ ନେଇଥିବାବେଳେ ଫଟଫଟ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। ଯାହାକୁ ଦେଖି ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଚକିତ ହୋଇ ଯାଇଥିଲେ। ତେବେ କୋଟିଏ ଟଙ୍କାର ପ୍ରଶ୍ନରେ ହଡ଼ବଡ଼ ହୋଇଥିଲେ । ଆଉ ଏହି ଗୋଟିଏ ପ୍ରଶ୍ନର ସେ ଉତ୍ତର ଦେଇଥିଲେ କୋଟିଏ ଟଙ୍କା ପୁରସ୍କାର ପାଇଥାନ୍ତେ । ମାତ୍ର ଶେଷ ପ୍ରଶ୍ନର ଉତ୍ତର ଭୁଲ୍ ଦେଇଥିବାରୁ ୩ ଲକ୍ଷ ୨୦ ହଜାର ଟଙ୍କା ପାଇଛନ୍ତି ।

ବିରାଟଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା ପିରିୟଡିକ ଟେବୁଲରେ ୯୬ ଏବଂ ୧୦୯ ପରମାଣୁ ସଂଖ୍ୟା ଥିବା ୨ଟି ନମ୍ବର ନାମରେ କଣ ବିଶେଷ ରହିଛି । ଏଥିରେ ତାଙ୍କୁ ୫ଟି ବିକଳ୍ପ ମଧ୍ୟ ଦିଆଯାଇଥିଲା । ମାତ୍ର ସେ ଏହି ପ୍ରଶ୍ନରେ ଘାବରେଇ ଯାଇ ଭୁଲ୍ ଉତ୍ତର ଦେଇଥିଲେ। ଯାହା ଫଳରେ ସେ ହାରି ଯାଇଥିଲେ । ତେବେ ଏହି ସୋ’ରେ ଭାଗ ନେଇଥିବା ବିରାଟ ଆୟାର କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି?

ବିରାଟଙ୍କ ବୟସ ମାତ୍ର ୮ ବର୍ଷ । କିନ୍ତୁ ତାଙ୍କ ଜ୍ଞାନ ବଡ଼ ବଡ଼ ଲୋକଙ୍କୁ ମଧ୍ୟ ଚକିତ କରି ଦେଇଛି । ବିରାଟଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ୩୦ରୁ ଅଧିକ ପୁରସ୍କାର ପାଇଛନ୍ତି । କମ ବୟସରୁ ବଡ଼ ବଡ଼ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ପୁରସ୍କାର ଜିତିଛନ୍ତି । ଶିକ୍ଷକ ଏବଂ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ପିଲାଟି ଦିନରୁ ହିଁ ତାଙ୍କର ଏଭଳି ପ୍ରଖର ଜ୍ଞାନ ରହିଛି । ଥରେ ଯେଉଁ କଥା ଶୁଣନ୍ତି କିମ୍ବା ପଢ଼ନ୍ତି ସେ ମନେ ରଖି ଦିଅନ୍ତି । ଯାହାକି ପ୍ରଥମରୁ ତାଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।