କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: ଶେଷ ନିଶ୍ବାସ ତ୍ୟାଗ କଲେ କଥକ ସମ୍ରାଟ । ଆଉନାହାନ୍ତି ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ 83 ବର୍ଷ ବୟସରେ ଆଖି ବୁଜିଛନ୍ତି । ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣହରାଇଛନ୍ତି ମହାନ୍ ନୃତ୍ୟସମ୍ରାଟ । ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଏକ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପରିବାରର ସଦସ୍ୟ ଭାବେ ସେ କଥକ ନୃତ୍ୟକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି  ।

ତାଙ୍କ ପିତା ତଥା କଥକ ନୃତ୍ୟଗୁରୁ ଥିଲେ ଅଚ୍ଚନ ମହାରାଜ । ଦୁଇ ମାମୁ ଶମ୍ଭୁ ମହାରାଜ ଓ ଅଚ୍ଚୁ ମହାରାଜ ବି କଥକ ଜଗତରେ ଖ୍ୟାତିଲାଭ କରିଥିଲେ । ପଣ୍ଡିତ ବିର୍ଜୁ ମହାରାଜ କଥକ ନୃତ୍ୟଗୁରୁ ଥିବା ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ କଣ୍ଠ ସଂଗୀତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିଲେ । ଯନ୍ତ୍ରମାଧୁର୍ଯ୍ୟର ତାଳେତାଳେ ତାଙ୍କ ମଧୁର ସଂଗୀତ, ଭାବ ବିନ୍ୟାସ ଓ ସ୍ବର ନୈପୁଣ୍ୟ ଦର୍ଶକଙ୍କୁ କରୁଥିଲା ବିମୋହିତ । 1938 ଫେବ୍ରୁଆରୀ 4ରେ ଉତ୍ତରପ୍ରଦେଶ ହାଣ୍ଡିଆରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ବିର୍ଜୁ ।

ବିଶେଷ କରି ମାମୁଙ୍କ ଆଶୀର୍ବାଦ କ୍ରମେ ସେ ପ୍ରତିଭା ଜଗତର ବାଲ୍ୟକାଳରୁ ପାଦ ଦେବା ସହ ଭାରତୀୟ କଳା କେନ୍ଦ୍ରରେ ଶିକ୍ଷା ଲାଭ କରିଥିଲେ । ସେଠାରେ ସେ କଥକ ନୃତ୍ୟରେ ପାରଦର୍ଶିତା ଲାଭ କରିଥିଲେ । ମାତ୍ର 7 ବର୍ଷ ବୟସରେ ତାଙ୍କର ସଂଗୀତ ନୈପୁଣ୍ୟ ଓ କଣ୍ଠସଂଗୀତ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଦିଲ୍ଲୀରେ କଳାଶ୍ରମ ପ୍ରତିଷ୍ଠା କରି ଶହ ଶହ ନବାଗତଙ୍କୁ କଥକ ନୃତ୍ୟ ତାଲିମ ହେଇଥିଲେ । କେନ୍ଦ୍ର ସଂଗୀତ ନାଟକ ଏକାଡେମି ଅନ୍ତର୍ଗତ କଥକ କେନ୍ଦ୍ର ସହ ସେ ବିଶେଷ ଭାବେ ଜଡିତ ଥିଲେ । ସେ ପଦ୍ମବିଭୂଷଣ, ସଂଗୀତ ନାଟକ ଏକାଡେମି, ନୃତ୍ୟ ଚୂଡାମଣି ସମ୍ମାନ, କାଳିଦାସ ସମ୍ମାନ, ଲତା ମଙ୍ଗସେକର ପୁରସ୍କାର, ଭାରତ ମୁନି ସମ୍ମାନ ଆଦି ଲାଭ କରିଥିଲେ । ଏହା ସହ ଶ୍ରେଷ୍ଠ କୋରିଓଗ୍ରାଫର ଭାବେ 2012ରେ ଜାତୀୟ ଫିଲ୍ମ ପୁରସ୍କାର ଏବଂ 2016ରେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।

Leave a Reply