ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା, କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

1 min read

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏର ଏକ କୋର୍ଟ ୟାସିନଙ୍କୁ କରିଛନ୍ତି ଦୋଷୀ ସାବ୍ୟସ୍ତ । ଆସନ୍ତା ମେ ୨୫ରେ ୟାସିନଙ୍କ ବିରୋଧରେ କୋର୍ଟ ଦଣ୍ଡ ଘୋଷଣା କରିବେ । କାଶ୍ମୀର ଉପତ୍ୟକାରେ ଆତଙ୍କବାଦର ପ୍ରସାର ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସାମିଲ ହେବା ନେଇ ତାଙ୍କ ବିରୋଧରେ ଆସିଥିଲା ଅଭିଯୋଗ । ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆର୍ଥିକ ଆକଳନ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ମଧ୍ୟ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୟାସିନଙ୍କ ଆର୍ଥିକ ଆକଳନ ସଂକ୍ରାନ୍ତରେ ରିପୋର୍ଟ ଦେବା ଲାଗି ମଧ୍ୟ ଏନଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ସ୍ୱୀକାର କରିଥିଲା । ତେବେ ୟାସିନ ମଲିକଙ୍କ ବିରୋଧରେ ଯେଉଁ ସବୁ ଧାରା ଲାଗିଛି, ଏଥିରେ ତାକୁ ଆଜୀବନ କାରାଦଣ୍ଡାଦେଶ ମିଳିପାରେ । ସେ ଅନେକ ଦିନ ଧରି କାଶ୍ମୀରର ରାଜନୀତିରେ ସକ୍ରିୟ ମଧ୍ୟ ଥିଲା । ଯୁବକଙ୍କୁ ପଥଭ୍ରଷ୍ଟ କରିବାରେ ତାର ମୁଖ୍ୟ ଭୂମିକା ମଧ୍ୟ ରହିଥିଲା ।