କାଶୀ ବିବାଦ କ’ଣ ?

1 min read

ଗୋଟେ ବିବାଦ ତୁଟିବାର ବର୍ଷେ ବିତିନି ଆଉ ଗୋଟିଏ ବିବାଦ ଆରମ୍ଭ ହୋଇଗଲାଣି । । ଅଯୋଧ୍ୟା କାଣ୍ଡ ସରିବାକୁ ବର୍ଷେ ପୁରିନି,ଏହା ଭିତରେ ମୁଣ୍ଡ ଟେକିଛି କାଶୀକାଣ୍ଡ । କାଶୀ ବିଶ୍ୱନାଥ ମନ୍ଦିର ଓ ସେହି ପରିସରରେ ଥିବା ଜ୍ଞାନବାପି ମସଜିଦକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଗୁରୁବାର ଦିନ ସ୍ଥାନୀୟ ଅଦାଲତ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ-ଏଏସଆଇକୁ ମସଜିଦ ପରିସରରେ ଖନନ କରିବାକୁ ଆଦେଶ ଦେଇଛନ୍ତି । ନିଜ ଆଦେଶରେ ଅଦାଲତ ଏଏସଆଇର ଏକ ୫ ଜଣିଆ ଟିମ୍ ଗଠନ କରି ପରିସର ଖନନ କରିବାକୁ କହିଛନ୍ତି।

ଏବେ ଆସନ୍ତୁ ଜାଣିବା ବିବାଦ କ’ଣ ପାଇଁ । ବିବାଦ ପଛରେ କ’ଣ କାରଣ ରହିଛି । ତେବେ ଏସବୁକୁ ବୁଝିବାକୁ ହେଲେ ଇତିହାସରେ ଅନେକ ପଛକୁ ଫେରିବାକୁ ପଡିବ । ଇତିହାସକୁ ଫେରିବା ପୂର୍ବରୁ ଆସନ୍ତୁ ବିବାଦ ଉପରେ ନଜର ପକାଇବା।

ଜ୍ଞାନବାପି ମସଜିଦକୁ ନେଇ ହିନ୍ଦୁଙ୍କ ଦାବି ଯେ,ଏହାକୁ ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିର ଧ୍ୱଂସ କରି ନିର୍ମାଣ କରାଯାଇଛି। ମସଜିଦ ତଳେ ପ୍ରକୃତରେ ମନ୍ଦିର ରହିଛି ବୋଲି ହିନ୍ଦୁ ପକ୍ଷଙ୍କ ଦାବି। ପ୍ରଥମ ଥର ପାଇଁ ୧୯୯୧ ମସିହାରେ ସ୍ୱୟଂମ୍ଭୁ ଜ୍ୟୋର୍ତିଲିଙ୍ଗ ଭଗବାନ ବିଶେଶ୍ୱରଙ୍କ ପକ୍ଷରୁ ଜ୍ଞାନବାପି ମସଜିଦରେ ପୂଜାର୍ଚ୍ଚନା ପାଇଁ ଅନୁମତି ମାଗି ଅଦାଲତରେ ଆବେଦନ କରାଯାଇଥିଲା । ଏହାପରଠାରୁ ମସଜିଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମ ପିଟିସନ ତିନି ଜଣ ପୂଜକ ଦାଏର କରିଥିଲେ। ଏହାପରେ ୨୦୧୯ରେ ଓକିଲ ବିଜୟ ଶଙ୍କର ରସ୍ତୋଗୀ ସିଭିଲ କୋର୍ଟରେ ଆବେଦନ କରିଥିଲେ। ଜ୍ଞାନବାପି ପରିସରର ପ୍ରତ୍ନାତାତ୍ୱିକ ସର୍ଭେକ୍ଷଣ ପାଇଁ ସେ ନିବେଦନ କରିଥିଲେ ।

ମନ୍ଦିର ସ୍ଥାନରେ ମସଜିଦ ?
ଆବେଦନକାରୀ ହିନ୍ଦୁ ସଂଗଠନଙ୍କ ଦାବି ଯେ, ଯେଉଁ ସ୍ଥାନରେ ଏବେ ଜ୍ଞାନବାପି ମସଜିଦ ଅଛି ସେଠାରେ ଆଗରୁ ମନ୍ଦିର ଥିଲା । ୨ ହଜାର ବର୍ଷର ପୁରୁଣା ମନ୍ଦିରକୁ ଭାଙ୍ଗି ଔରଙ୍ଗଜେବ ମସଜିଦ୍ ତିଆରି କରିଥିଲେ ବୋଲି ହିନ୍ଦୁଙ୍କ ଯୁକ୍ତି । ୧୬୬୯ରେ ଉତ୍ତର ଭାରତରେ ହିନ୍ଦୁ ବିଦ୍ରୋହକୁ ଦମନ କରିବାକୁ ଔରଙ୍ଗଜେବ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିବାକୁ ଆଦେଶ ଦେଇଥିଲେ ବୋଲି କୁହାଯାଏ। ଅନେକ ମନ୍ଦିର ଓ ଗୁରୁକୁଳରେ ତନ୍ତ୍ରମନ୍ତ୍ରର ଶିକ୍ଷା ଦିଆଯାଉଛି,ଏହାକୁ ବାହନା କରି ଔରଙ୍ଗଜେବ ମନ୍ଦିର ଧ୍ୱଂସ କରିବାକୁ ଆଦେଶ ଦେଇଥିଲେ ବୋଲି ମାସିର-ଏ-ଆଲମଗିରି ପୁସ୍ତକରେ ଉଲ୍ଲେଖ ଅଛି। ଏହି ପୁସ୍ତକ ଔରଙ୍ଗଜେବ ଉପରେ ଲିଖିତ।

ହିନ୍ଦୁ ମନ୍ଦିର ଭଗ୍ନାବଶେଷରୁ ମସଜିଦ ନିର୍ମାଣ ?
ଅନେକ ଦାବି କରନ୍ତି ଯେ, ଔରଙ୍ଗଜେବ ଜ୍ଞାନବାପି ମସଜିଦର ନିର୍ମାଣରେ ଭଙ୍ଗାଯାଇଥିବା ମନ୍ଦିରର ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଦେଇଥିଲେ। ଐତିହାସିକ ଏଡବିନ୍ ଗ୍ରିବ୍ସ ତାଙ୍କ ପୁସ୍ତକ Kashi the city illustriousରେ ଏହାର ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି ଯେ, ଏମିତି ଅନେକ କିଛି ମସଜିଦରେ ଅଛି ଯାହା ମନ୍ଦିରର ଝଲକ ଦେଖାଏ । ଜ୍ଞାନବାପି ମସଜିଦ୍ ବାହାରେ ଏକ ବିଶାଳ ନନ୍ଦୀ ମୂର୍ତ୍ତି ରହିଛି । ଯାହାକି ଶିବଙ୍କ ବାହାନ। ନନ୍ଦି ମସଜିଦ ଆଡକୁ ମୁହଁକରି ବସିଛନ୍ତି । ଏସବୁକୁ ଆଧାର କରି ହିନ୍ଦୁ ମସଜିଦ ଉପରେ ନିଜ ଦାବି ରଖୁଛନ୍ତି ।

ମନ୍ଦିରର ଇତିହାସ-
କାଶୀ ବିଶ୍ୱନାଥ ମନ୍ଦିରର ଇତିହାସ ୨ ହଜାର ବର୍ଷରୁ ଅଧିକ ପୁରୁଣା । କୁହାଯାଏ ଯେ, ରାଜା ହରିଶଚନ୍ଦ୍ର ଏହି ମନ୍ଦିରର ଜିର୍ଣ୍ଣୋଉଦ୍ଧାର କରିଥିଲେ । ଅର୍ଥାତ ପୁରାଣର ହରିଶ୍ଚନ୍ଦ୍ରଙ୍କ ପୂର୍ବରୁ ମଧ୍ୟ ମନ୍ଦିର ଥିଲା । ହରିଶଚନ୍ଦ୍ରଙ୍କ ପରେ ଅନେକ ହିନ୍ଦୁ ରାଜା ଏହି ମନ୍ଦିରର ଜିର୍ଣ୍ଣୋଉଦ୍ଧାର କରିଛନ୍ତି । ରାଜା ବିକ୍ରମାଦିତ୍ୟ ମଧ୍ୟ ଏହାର ପୁନଃନିର୍ମାଣ କରିଥିଲେ । ମୋଗଲ ଆକ୍ରମଣ କାଳରେ ମନ୍ଦିରକୁ ଧ୍ୱଂସ କାରାଯାଇଥିଲା । ଔରଙ୍ଗଜେବ ମନ୍ଦିର ଭାଙ୍ଗି ଏହା ସ୍ଥାନରେ ମସଜିଦ୍ ତିଆରି କରିଥିଲେ । ୧୭୮୦ ମସିହାରେ ମାଲବାର ରାଣୀ ଅହଲ୍ୟାବାଇ ମସଜିଦ ପାଖରେ ବର୍ତ୍ତମାନର ଶିବ ମନ୍ଦିର ନିର୍ମାଣ କରିଥିଲେ ।

ମସଜିଦ ସ୍ଥାନରେ ଆଗରୁ ମନ୍ଦିର ଥିଲା ବୋଲି ଯୁକ୍ତିକୁ ଅଧିକ ଶକ୍ତ କରିବା ପାଇଁ ହିନ୍ଦୁ ପକ୍ଷ ୩୫୦ ବର୍ଷ ପୁରୁଣା ଗୋଟିଏ ଦସ୍ତାବିଜ ମଧ୍ୟ ସାମ୍ନାରେ ରଖୁଛନ୍ତି। ଏହି ଦସ୍ତାବିଜ୍ ଔରଙ୍ଗଜେବଙ୍କ ଦରବାରରୁ ଜାରି ହୋଇଥିଲେ। ସେପ୍ଟେମ୍ବର ୨,୧୬୬୯ରେ ଜାରି ଆଦେଶ ପତ୍ରରେ ଔରଙ୍ଗଜେବ ମନ୍ଦିର ଧ୍ୱଂସ ପାଇଁ ଆଦେଶ ଦେଇଥିଲେ।
ଇତିହାସ ଯାହା ବି ହେଉନା କାହିଁକି । କିନ୍ତୁ ଜ୍ଞାନବାପି ମସଜିଦ ପୁଣି ଥରେ ଭାରତୀୟ ରାଜନୀତିରେ ଝଡ ଆଣିବ ଏଥିରେ ସନ୍ଦେହ ନାହିଁ । ବାବ୍ରି ମସଜିଦ ପରେ ଆଗକୁ ଏହା ଆଉ ଗୋଟିଏ ବଡ ପ୍ରସଙ୍ଗ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ।

Leave a Reply