ବାପା ମାଆଙ୍କୁ ହତ୍ୟା କଲା ନାବାଳକ : ଟାର୍ଗେଟରେ ଥିଲେ ଟ୍ରମ୍ପ

1 min read

ନନ୍ଦିଘୋଷ ବ୍ୟୁରୋ: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ହତ୍ୟା ଘଟଣାର ତଦନ୍ତ କରୁ କରୁ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଆମେରିକାର ପୋଲିସ। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିଲା ଜଣେ ନାବାଳକ । ସେ ହେଲା ୱିସକନସିନ୍ ରାଜ୍ୟର ୧୭ ବର୍ଷୀୟ ନିକିତା କାସାପ। ଟ୍ରମ୍ପଙ୍କୁ ସେ ହତ୍ୟା କରିବାକୁ ସେ ଟାର୍ଗେଟ କରିଥିଲା। କିନ୍ତୁ ସେଥିପାଇଁ ସେ ଯେଉଁ କାଣ୍ଡ କରିଛି, ତାହା ଶୁଣିଲେ ଦେହ ଶିତେଇ ଉଠିବ। ଏଥିପାଇଁ ସେ ନିଜ ବାପା ମାଆଙ୍କୁ ଗୁଳି କରି ହତ୍ୟା କରିଛି। ଏହା ପଛରେ ନିକିତାର ଉଦ୍ଦେଶ୍ୟ ଥିଲା ବାପା ମାଆଙ୍କ ମୃତ୍ୟୁ ପରେ ତା ଉପରେ ଆଉ କାହାର ନିୟନ୍ତ୍ରଣ ରହିବ ନାହିଁ ଓ ସେମାନଙ୍କୁ ସଂପତ୍ତି ମଧ୍ୟ ମିଳିବ। ତା ପରେ ସେ ନିଜ ଇଚ୍ଛାରେ ଯାହା ଚାହିଁବ ତାହା କରିପାରିବ। ଟ୍ରମ୍ପଙ୍କୁ ଟାର୍ଗେଟ କରିପାରିବ ବୋଲି ଭାବି ସେ ପ୍ରଥମେ ନିଜ ବାପା ମାଆଙ୍କୁ ହତ୍ୟା କରିଛି। ଆସନ୍ତା ମାସରେ ତାକୁ କୋର୍ଟରେ ହାଜର କରାଯିବ।

ପୋଲିସ କହିବା ଅନୁସାରେ ନିକିତା ଫେବୃଆରୀ ୧୧ ତାରିଖରେ ତାଙ୍କ ଘରେ ତାଙ୍କ ମାଆଙ୍କୁ ଓ ସାବତ ବାପା ଡୋନାଲ୍ଡ ମେୟରଙ୍କୁ ହତ୍ୟା କରିଥିଲା। ସାବତ ବାପାଙ୍କ SUV ଚୋରି କରିବା ଏବଂ ବନ୍ଧୁକ ରଖିବା ଅଭିଯୋଗରେ ପ୍ରଥମେ କାନସାସରେ ପୋଲିସ ନିକିତାକୁ ଗିରଫ କରିବା ପରେ ଏତେ ବଡ଼ କାଣ୍ଡର ପର୍ଦ୍ଦାଫାସ ହୋଇଛି। ସେ ହିଟଲରଙ୍କ ନାଜିବାଦ ଦ୍ଵାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।