ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି

ପୁରୀ: ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର କାର୍ତ୍ତିକ ନୀତି। ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। କୋଭିଡ କଟକଣା ହଟିବା ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ଅକ୍ଟୋବର ୬ ତାରିଖରୁ ନଭେମ୍ବର ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ।

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଟୋବର ୬ରୁ ସକାଳ ୬.୧୫ରେ ରାଧାଦାମୋଦର ବେଶ ଓ ସକାଳ ୧୦ ଟାରୁ ୧୦.୩୦ ମଧ୍ୟରେ ବାଳଧୂପ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ରେ ମହାପ୍ରଭୁଙ୍କ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଡ ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ୮ରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି କାର୍ତ୍ତିକ ମାସରେ ଭିଆଇପି ଦର୍ଶନ ଉପରେ କଟକଣା ଲଗାଇବା ପାଇଁ ଛତିଶା ନିଯୋଗର ସଦସ୍ୟ ଠକରେ ଦାବି କରିଥିଲେ।

ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଓ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି। ଅକ୍ଟୋବର ୨୪ ସଂନ୍ଧ୍ୟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ନଭେମ୍ବର ୮ରେ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମଧ୍ୟ ଦର୍ଶନ ବନ୍ଦ ରହିବ। ଅକ୍ଟୋବର ୨୫ରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ରାଧାଦାମୋଦର ବେଶ ହେବ। ମଇଲମ ହୋଇ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯିବ।