ସରକାର ଗଠନର ମ୍ଯାଜିକ୍ ନମ୍ବର ହାସଲ କରିସାରିଲାଣି ବିଜୁ ଜନତା ଦଳ: କାର୍ତ୍ତିକ ପାଣ୍ଡିଆନ

1 min read

ବାସୁଦେବପୁର: ଓଡ଼ିଶାରେ ସରକାର ଗଠନ କରିବ ବିଜେଡି। ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ଯରେ ସରକାର ଗଠନର ମ୍ଯାଜିକ୍ ନମ୍ବର ହାସଲ କରିସାରିଲାଣି ବିଜୁ ଜନତା ଦଳ। ଭଦ୍ରକ ବାସୁଦେବପୁରରେ ଜନସାଧାରଣଙ୍କୁ ସମ୍ବୋଧନ କରି ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର। ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ। ଡବଲ ଇଂଜିନ ସରକାରରେ ମାତ୍ର ୫ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଉଛନ୍ତି।

ଆୟୁଷ୍ମାନ ଭାରତରେ ୫୦ ପ୍ରତିଶତ ସାମିଲ ହେବେ କିନ୍ତୁ ବିଏସକେୱାଇରେ ପ୍ରାୟ ୧୦୦ ପ୍ରତିଶତ ସାମିଲ ହେବେ। ବିଏସକେୱାଇରେ ୧୦ ଲକ୍ଷ ଯାଏ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ଦେବେ ୫ ଲକ୍ଷ। ରାଜ୍ୟ ମମତା ଯୋଜନାରେ ୧୦ ହଜାର ଦେଉଥିବାବେଳେ ଡବଲ ଇଂଜିନରେ ୫ ହଜାର ଟଙ୍କା ଦେଉଛି କେନ୍ଦ୍ର। କେନ୍ଦ୍ର ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବାବେଳେ ନବୀନ ୧ ହଜାର ଟଙ୍କା ଭତ୍ତା ଦେଉଛନ୍ତି । ଏଇଟା ହେଉଛି ଡବଲ ଇଂଜିନ ଓ ନବୀନ ଇଂଜିନ ଭିତରେ ଫରକ। ସେମାନେ ଯାହା କହୁଛନ୍ତି ମିଛ କଥା କହୁଛନ୍ତି। ମା’ ମାନେ ୫୦ ହଜାର ଟଙ୍କା ପାଇବେ ବୋଲି କହୁଛନ୍ତି, ୧୫ ଲକ୍ଷ ଦେବେ ବୋଲି କହିଥଲେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଆପଣଙ୍କ ଆଶୀର୍ବାଦ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଆସନ୍ତା ୯ ତାରିଖରେ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଜୁଲାଇରୁ ଆସିବନି ବିଜୁଳି ବିଲ୍। ପ୍ରାୟ ସମସ୍ତ ଓଡ଼ିଶାବାସୀଙ୍କୁ ବିଏସକେୱାଇ ଯୋଜନାରେ ସାମିଲ ହେବ ଦ୍ଵିତୀୟ ଦସ୍ତଖତ। ମିଶନଶକ୍ତି ମା’ ମାନଙ୍କୁ ୬୦ ବର୍ଷ ପରେ ମିଳିବ ପେନସନ ଏବଂ ନୂଆ-ଓ ଯୋଜନାରେ ଛାତ୍ରଙ୍କୁ ୧୨ ହଜାର ଏବଂ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବ। ଏହା ହେବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ତୃତୀୟ ଓ ଚତୁର୍ଥ ଦସ୍ତଖତ। ଆପଣଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ କରିବେ। ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।