ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ , ଆପଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଛନ୍ତି

1 min read

ନନ୍ଦିଘୋଷ ବ୍ୟୁରୋ : ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି କାର୍ତ୍ତିକ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି।  କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି।

ପାଣ୍ଡିଆନ ଆହୁରି ମଧ୍ୟ ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ ବୋଲି ପ୍ରଶ୍ନ କରିଛନ୍ତି । କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି?  ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ ।

ବିଜେପିର ସରକାରକୁ ଆସିବାର ୧୦ ବର୍ଷ ହେଲାଣି, କିନ୍ତୁ ଟଙ୍କା ଟିଏ ଦେଲେନି। ଓଡ଼ିଆ ଭାଷାକୁ ଅଣଦେଖା କଲେ । ସଂସ୍କୃତକୁ ୧ ହଜାର କୋଟି, ତାମିଲ ଭାଷାକୁ ୮୦ କୋଟି ଦେଲେ ହେଲେ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ଅଣଦେଖା କଲେ। ରାଜ୍ୟବାସୀ ୮ ଜଣ ବିଜେପି ସାଂସଦଙ୍କୁ ଜିତାଇଲେ, ହେଲେ ସେମାନେ କିଛି କଲେନି। ଅନ୍ୟ ଶାସ୍ତ୍ରୀୟ ଭାଷାକୁ କେନ୍ଦ୍ର ସରକାର ଅନୁଦାନ ଦେଲେ ହେଲେ ଓଡ଼ିଆ ଭାଷା ପାଇଁ ବିଜେପି ସାଂସଦ ମୁହଁ ଖୋଲିଲେନି। ଅନ୍ୟ ରାଜ୍ୟକୁ ଟଙ୍କା ମିଳିଲା ଏମାନେ ଦେଖିଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଅନ୍ୟପଟେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରୁଛନ୍ତି ହେଲେ ବିଜେପି ସାଂସଦ କେନ୍ଦ୍ରରେ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଦୁଇଥର ଲେଖିଛନ୍ତି ହେଲେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖାନ କରିଛନ୍ତି। ୮ ଜଣ ବିଜେପି ସାଂସଦ ଓ ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି। ଆଉ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ମଧ୍ୟ କେନ୍ଦ୍ର ଅଣଦେଖା କରୁଛି। କେବଳ ଓଡ଼ିଶା ନୁହଁ ଭାରତ ପାଇଁ ବିଜୁ ବାବୁଙ୍କର ବହୁ ଅବଦାନ ରହିଛି। ଏଥି ସହିତ ସେ ଜଣେ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ହେଲେ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ଦେଲାନି। ବିଜୁ ବାବୁଙ୍କୁ କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି।

ଏହାବାଦ୍ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ରାଜ୍ୟ ପାଇଁ କ’ଣ କରିଛନ୍ତି । କଟକ-ସମ୍ବଲପୁର ଏନଏଚ କାମ ଆଜିଯାଏ ସରୁନି । ନିର୍ବାଚନ ବେଳେ ଏନଏଚ ୫୫ କାମ ତ୍ୱରାନିତ କଲେ । ପ୍ରକୃତ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ରଙ୍କ କଟାକ୍ଷ କରିଛନ୍ତି ପାଣ୍ଡିଆନ୍ ।