ବଙ୍ଗୋମୁଣ୍ଡାରେ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ- ସୋଲାର ଲାଇଟ୍ କଥା କହି ଦିନରେ ଲଣ୍ଠନ ଦେଖାଉଛନ୍ତି

1 min read

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ମନେ ପକାଇବାକୁ ନେଇ କଲେ ସମାଲୋଚନା ।

ସଭାରେ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ସମାଲୋଚନା କରିବା ପରେ କାର୍ତ୍ତିକ ପାଣ୍ଡିଆନ ବିଜେପି ନେତାଙ୍କୁ ଟାର୍ଗେଟ କରିଥିଲେ । କହିଲେ- ଓଡ଼ିଶାରୁ ବିଜେପି ହାରୁଛି । ତେଣୁ ପ୍ରଧାନମନ୍ତ୍ରୀଙ୍କର ଚାଷୀଙ୍କ କଥା ମନେ ପଡୁଛି । ସୋଲାର ବିଜୁଳି ନାମରେ ବିଜେପି ନେତା ଦିନରେ ଆପଣଙ୍କୁ ଲଣ୍ଠନ ଦେଖାଯାଉଛନ୍ତି । ୫୦ ହଜାର ଟଙ୍କା ଡିପୋଜିଟ୍ କଲେ ଯାଇ ମିଳିବ ସୋଲାର ପାୱାର । ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି । ରାଜ୍ୟବାସୀଙ୍କୁ ବିଜେଡି ସରକାର ମାଗଣା ବିଜୁଳି ଦେବାକୁ ଯାଉଛି । ଓଡ଼ିଶାର ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ଆୟୁଷ୍ମାନ ଯୋଜନାରେ ମା’ମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ନାହିଁ । ଏଥିରେ ବୀମା କମ୍ପାନୀ ଟଙ୍କା ପାଉଛନ୍ତି । ବିଏସକେୱାଇ ଏଟିଏମ୍ କାର୍ଡ୍ ଭଳି କାମ କରୁଛି ।

୨୦୧୪ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ଯାହା କହିଥିଲେ, ଏବେ ପୁଣି ସେଇଆ କହୁଛନ୍ତି । ସେତେବେଳେ ଧାନର ଏମଏସପି ଦୁଇଗୁଣା କରିବା କଥା କହିଥିଲେ । ହେଲେ ଆଜିଯାଏଁ ହୋଇ ପାରିଲାନାହିଁ । ଏବେ ଧାନ କିଣା ଦର ୩ ହଜାର କରିବେ ବୋଲି କହୁଛନ୍ତି । ୧୦ ବର୍ଷ କ୍ଷମତାରେ ରହିବା ପରେ ଓଡ଼ିଶାର ଚାଷୀ, ଏମଏସପି ଓ ଶୀତଳ ଭଣ୍ଡାର କଥା ମନେ ପଡିଲା । ଏହାର ଜବାବ ଭୋଟରେ ଆପଣମାନେ ଦେବେ ।

ସେ ଆଗକୁ କହିଥିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁନାହାନ୍ତି । କଣ୍ଟାବାଞ୍ଜିର ବିକାଶ ତାଙ୍କର ପ୍ରମୁଖ ଲକ୍ଷ୍ୟ । ସେ କଣ୍ଟାବାଞ୍ଜିର ରୂପାନ୍ତରଣ କରିବାକୁ ଚାହୁଁଛନ୍ତି । ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇ ଓଡ଼ିଶାରେ ଇତିହାସ ରଚିବେ । ଏହାସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।