ପଦମପୁରରେ ପ୍ରଚାର ସଭାରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ

ପଦମପୁର : ପଦମପୁରକୁ ଜିଲ୍ଲା କରାଇଦେଉନାହାନ୍ତି କୁଚକ୍ରୀ ଗୋଷ୍ଠୀ । ନବୀନ ସରକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ କରିଛନ୍ତି । ଏଡିଏମ ମଧ୍ଯ ନିଯୁକ୍ତ ହୋଇଛନ୍ତି । ହେଲେ ଚକ୍ରାନ୍ତକାରୀ ଗୋଷ୍ଠୀ ହାଇକୋର୍ଟରେ କେସ କରି ଜିଲ୍ଲା ଘୋଷଣାକୁ ଅଟକାଇଛନ୍ତି । ଯେଉଁ ଗୋଷ୍ଠୀ ଶ୍ରୀମନ୍ଦିର ପରିକ୍ରମା ଓ ସମଲେଇ ପ୍ରକଳ୍ପ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଥିଲେ ସେହି ଗୋଷ୍ଠୀ ପଦମପୁରକୁ ଜିଲ୍ଲା ହେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ପଦମପୁରରେ ପ୍ରଚାର ସଭାରେ ବିଜେପିକୁ ଏଭଳି କଡ଼ା ସମାଲୋଚନା କରି ପାଣ୍ଡିଆନ କହିଛନ୍ତି, ନବୀନ ବାବୁ ପଦମପୁରକୁ ଜିଲ୍ଲା ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଲଢିବେ । ହାଇକୋର୍ଟ, ସୁପ୍ରିମକୋର୍ଟରେ ଲଢି ପଦମପୁରକୁ ଜିଲ୍ଲା କରିବେ । ଅନ୍ଯପଟେ ଉପନିର୍ବାଚନ ସମୟରେ ପଦମପୁରବାସୀଙ୍କ ବିଜେପିର ନେତାମାନେ ରେଳ ସ୍ବପ୍ନ ଦେଖେଇଥିଲେ । ଏବେ ପଦମପୁର ରେଳ ଷ୍ଟେସନ କେଉଁଠି ଓ କେଉଁ ସହରକୁ ଟ୍ରେନ ଯାଉଛି ବୋଲି ବିଜେପିକୁ ପ୍ରଶ୍ନ କରିବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

ଯେଉଁମାନେ ବଡ଼ ବଡ କଥା କହିଥିଲେ ସେହି କେନ୍ଦ୍ରମନ୍ତ୍ରୀଙ୍କୁ ଏବେ ଖୋଜିଲେ ବି ପାଇବେନି । କେନ୍ଦ୍ରମନ୍ତ୍ରୀ ଏବେ ଫେବିକଲ ଲଗାଇ ସମ୍ବଲପୁରରେ ଅଛନ୍ତି କହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନ କଟାକ୍ଷ କରିଛନ୍ତି । ନବୀନ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି । ଫସଲ ବୀମା ପାଇଁ ପ୍ରିମିୟମ ମାଗଣା କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ତାହା କରିକି ଦେଖାଇଛନ୍ତି ।

ବିଜୁ ଏକ୍ସପ୍ରେସ ୱେରେ ପଦମପୁର ଡିଭିଜନ ସବୁଠୁ ଅଧିକ ଲାଭ ପାଇବ । ପାଇପ ଜରିଆରେ ପିଇବା ପାଣି ପାଇଁ ବ୍ଯବସ୍ଥା କରାଯାଉଛି । କେନ୍ଦୁପତ୍ର ତୋଳାଳିଙ୍କୁ ୫୦ ପ୍ରତିଶତ ବୋନସ ଦେଉଛନ୍ତି ନବୀନ ସରକାର । ବୋନସ ଦେବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ଯ । କେନ୍ଦୁପତ୍ର ତୋଳାଳିଙ୍କୁ ଅନ୍ଯମାନେ ଭୋଟ ବ୍ଯାଙ୍କ ଭାବେ ବ୍ଯବହାର କରୁଛନ୍ତି । ହେଲେ ନବୀନ ସେମାନଙ୍କୁ ସହାୟ ହୋଇଛନ୍ତି । ଅନ୍ଯପଟେ ବିକାଶର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ପଦମପୁର ନିର୍ବାଚନ ମଣ୍ଡଳୀର ୫୮ଟି ପଞ୍ଚାୟତକୁ କୋଟିଏ ଟଙ୍କା ଲେଖାଏଁ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୨୩ କୋଟି ଟଙ୍କାରେ ନୃସିଂହନାଥ ମନ୍ଦିରର ଉନ୍ନତିକରଣ କରାଯାଇଛି ।