ମୁଖ୍ୟମନ୍ତ୍ରୀଙ୍କ ମନକଥା କହିଲେ କାର୍ତ୍ତିକ ପାଣ୍ଡିଆନ, ରାଜନୈତିକ କ୍ୟାରିୟର ନୁହେଁ କାଳିଆ କାମ ଆଗ

1 min read

ଭୁବନେଶ୍ବର: ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ । ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବବେଗ ଏତେ ଗଭୀର ଭାବେ ଜଡିତ ଯେ, ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି  । ରୂପାନ୍ତରଣ ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କତାମୂଳକ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କିନ୍ତୁ ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ରାଜନୈତିକ ଭବିଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ । ଆଜି ଭୁବନେଶ୍ବରରେ ଆୟୋଜିତ ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପରିକ୍ରମା ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଲୋକମାନେ ମୋତେ ବିଶ୍ବାସ ଓ ଭରସା କରିବା ସହ ଅକୁଣ୍ଠ ଭଲପାଇବା ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡିଶାବାସୀଙ୍କର ରହିଛି ଅକୁଣ୍ଠ ଭଲପାଇବା ଓ ବିଶ୍ବାସ । ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ ନକରିବି ଇତିହାସ ମୋତେ କ୍ଷମା ଦେବନି ।

ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ଏହାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିବା ସହ ପରିକ୍ରମା ପ୍ରକଳ୍ପକୁ ଆଗେଇ ନେଇଥିଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ କହିଥିଲେ ଯେ, ଶ୍ରୀମନ୍ଦିର ରୂପାନ୍ତରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା । ବହୁ ବଡ ବଡ ରାଜା ଓ ବ୍ରିଟିଶ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ ।

କିନ୍ତୁ ଶ୍ରୀମନ୍ଦିର ରୂପାନ୍ତରଣ କାମ ଯିଏ ବି ଆରମ୍ଭ କରିଥିଲେ ସେମାନେ ୧୫ଦିନରୁ ମାସେ ମଧ୍ୟରେ ଓହରିଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଏହି ରୂପାନ୍ତରଣକୁ ଗଜପତି ମହାରାଜ ମଧ୍ୟ ପ୍ରଶଂସା କରିଛନ୍ତି । ୭୦୦ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଆସିଛି ରୂପାନ୍ତରଣ ।