ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଲେ ପାଣ୍ଡିଆନ

1 min read

ହିନ୍ଦୋଳ: ବିଜେପି ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ସରକାରରେ ଅଛି । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ଚେହେରା ନାହାଁନ୍ତି । ଯେଉଁଥିପାଇଁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରୁନାହିଁ । ଆଜି ହିନ୍ଦୋଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ।

ସେ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ, ଆଜି ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶୁଣିବାକୁ ମିଳୁଥିଲା ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ହୋଇପାରିଲାନି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିନ୍ଦୋଳରୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ କରିବାକୁ ଉଦ୍ୟମ ହୋଇଥିଲା । ଏଥିପାଇଁ ବିଜେପୁରବାସୀ ବିଜେପିକୁ ୪୦ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସରୁ ଫେରିବା ସମୟରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ଯାହାର ଫଳସ୍ବରୂପ ବିଜେପି ୩୦ରୁ ୩୦ ଜିଲ୍ଲା ଜିଲ୍ଲାଷଦରେ ହାରିଥିଲା । ପ୍ରଧାନମନ୍ତ୍ରୀ ସୋଲାର ଏନର୍ଜିରେ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପାଇଁ ଲୋକଙ୍କୁ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ମାଗଣା ବିଜୁଳି ନାଁରେ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏ ସମ୍ପର୍କିତ ଫାଇଲକୁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ।

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଭେଳିକି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲାନି ଓଡ଼ିଶା ବିଜେପି । ଏନେଇ ବିଜେପିକୁ କଟାକ୍ଷ କରି ସାସଂଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଆଜି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଶୁଣିଥିଲୁ । ହେଲେ ବିଜେପିରେ ଆଶାୟୀଙ୍କ ମଧ୍ୟରେ କଳି ଯୋଗୁଁ ନାଁ ଘୋଷଣା ହୋଇପାରିଲାନି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଓଡ଼ିଶା ବିଜେପି ୪ଖଣ୍ଡ ହୋଇଯିବ ।