କୋଟପାଡ଼ରେ କାର୍ତ୍ତିକ ପାଣ୍ଡିଆନଙ୍କ ଅପିଲ୍, ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ପାଖରେ ଉତ୍ତରଦାୟୀ ବିଜେଡି ସରକାର। ମୁଖ୍ୟମନ୍ତ୍ରୀ ଲୋକଙ୍କ ସବୁ ଆବେଦନକୁ ସମ୍ମାନର ସହ ଗ୍ରହଣ କରୁଛନ୍ତି ଆଉ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତାର ସମାଧାନ ମଧ୍ୟ ହେଉଛି । କେବଳ ସମାଧାନ ହେଉନି, ସବୁ ପ୍ରକଳ୍ପର ହିସାବ ଲୋକଙ୍କ ପାଖରେ ରଖୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମଧ୍ୟ କୋଟପାଡରେ ବିକାଶ ଯାତ୍ରା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ । ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବର୍ଷେ ତଳେ କୋଟପାଡବାସୀ ଦେଇଥିବା ଆବେଦନ ଅନୁଯାୟୀ କୋଟପାଡ କଲେଜର ରୂପାନ୍ତରଣ ଶେଷ ହୋଇଛି । ଗୁପ୍ତେଶ୍ବର ମନ୍ଦିରର ବିକାଶ ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଦମୟନ୍ତି ସାଗର ପାଇଁ ୧୬ କୋଟି ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦିୱାନମୁଣ୍ଡା ପୋଖରୀ ରୂପାନ୍ତରଣ ପାଇଁ ୨ କୋଟି ୬୦ ଲକ୍ଷ, କୋଲାବ ନଦୀ ଉପରେ ସେତୁ ପାଇଁ ୧୬ କୋଟି ୩୦ ଲକ୍ଷ, ସବରୀ ନଦୀ ଉପରେ ସେତୁ ପାଇଁ ୧୪ କୋଟି ୪୦, ରାମଗିରି ରାସ୍ତା ପାଇଁ ୧୦ କୋଟି, ବୋରିଗୁମା ଗ୍ରୀଡ ଷ୍ଟେସନ ପାଇଁ ୩୦ କୋଟି ଏବଂ ପାନୀୟ ଜଳ ସମସ୍ୟା ଦୂର କରିବାକୁ ୨୭୦ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏସକେୱାଇ ଯୋଜନାରେ କୋଟପାଡର ୫୦ ହଜାର ପରିବାର ଉପକୃତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ଖୁସି ପାଇଁ ସବୁବେଳେ କାମ କରୁଛନ୍ତି । ପାଞ୍ଚ ବର୍ଷ ପରେ ପୁଣି ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ କୋଟପାଡବାସୀଙ୍କୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।