ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି । ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଯିବ । ମାସେକାଳ ପ୍ରତିଦିନ ଏହି ବେଶ ହେବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ । ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭାପାଇବ । ମସ୍ତକରେ ତଡ଼ଗୀ,ଚନ୍ଦ୍ର, ସୂର୍ଯ୍ୟ, ଚିତା,କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ । ବାରଲାଗି ପାଟ,ବିଭିନ୍ନ ପୁଷ୍ପ ଅଳଙ୍କାର, ଶିରି କପଡା,କଳା ଉତରୀୟ ବସ୍ତ୍ର ପରିଧାନ କରି ମହାପ୍ରଭୁ ଅପୂର୍ବ ଦିଶିବେ । ଅପୂର୍ବ ରାଧାଦାମୋଦର ବେଶ ଆସନ୍ତା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲୁରହିବ ।

ଏହି ବେଶରେ ଥାଇ ଠାକୁରଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପୂର୍ଣ୍ଣ କରାଯିବ । ଏହି ନୀତି ପରେ ଶ୍ରୀବିଗ୍ରହମାନଙ୍କୁ ସ୍ଵତନ୍ତ୍ର ବନ୍ଦାପନା କରାଯାଇଥାଏ । ମାସର ଶେଷ ପାଞ୍ଚ ଦିନ ପଞ୍ଚୁକ ଅବସରରେ ଠାକୁରଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବ । ଏନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତିକାନ୍ତିକୁ ଚୂଡାନ୍ତ କରାଯାଇଛି  l ପ୍ରତ୍ୟହ ଭୋର ୪ଟାରେ  ଶ୍ରୀମନ୍ଦିର ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ ହେବା ପରେ ୪ଟା ୩୦ରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ରେ ମଇଲମ ଓ ତଡପଲାଗି, ୬ଟା ୧୫ରେ ଅବକାଶ ପରେ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ l ଏହାପରେ ୭ଟା ୧୫ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା, ୮ଟାରେ ଗୋପାଳବଲ୍ଲବ, ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବା ପରେ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ବାଳଧୂପ ଅନୁଷ୍ଠିତ ହେବ । ଏହାପରେ ଅନାନ୍ୟ ନୀତିକାନ୍ତି ବଢ଼ି ରାତ୍ର ୧୨ ଟାରେ ରାତ୍ର ପହୁଡ଼ ନୀତି କରାଯିବ l