ଭୁବନେଶ୍ବର ଉତ୍ତରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

1 min read

ଭୁବନେଶ୍ବର: ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ 5T ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ପ୍ରଥମେ ସାଲିଆ ସାହି, ତା’ ପରେ କଲ୍ଯାଣସିଂହପୁର ଓ ନହରକଣ୍ଟାରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ ।

ସାଲିଆ ସାହିର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ଭଲ ପାଆନ୍ତି ସେହି ଅନୁଭୁତି ବାଣ୍ଟିଥିଲେ ପାଣ୍ଡିଆନ । ସାଲିଆ ସାହିରେ ବିଜେଡି ପ୍ରଚାର ସଭାରେ ଭୋଟ ନମାଗି ସାଲିଆ ସାହି ବାସିନ୍ଦାଙ୍କୁ ନିଜର ଅନୁଭୁତିର କଥା କହିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ସବୁ ସମୟରେ ରାଜ୍ୟ କଥା ଯେମିତି ବିଚାର କରନ୍ତି, ସାଲିଆ ସାହି କଥା ବି ସେତିକି ଭାବନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ସାଲିଆ ସାହି ବାସିନ୍ଦାଙ୍କୁ କେହି ଉଚ୍ଛେଦ କରିପାରିବେନି । ବିରୋଧୀ ଦଳ ସାଲିଆ ସାହିର ଉଚ୍ଛେଦ ହେବ ବୋଲି କହି ଅପପ୍ରଚାର କରୁଛନ୍ତି । ସେମାନଙ୍କ ଅପପ୍ରଚାରକୁ ବିଶ୍ବାସ ନକରିବାକୁ ସେ ଅପିଲ କରିଛନ୍ତି । ବିରୋଧୀ ଦଳର ସାଂସଦ କହୁଛନ୍ତି ସାଲିଆ ସାହି ଲୋକଙ୍କୁ ପଟ୍ଟା ଦେବେ । ବିଜେପି କିମ୍ବା କଂଗ୍ରେସ ସରକାର ଥିବା ଦେଶର କୌଣସି ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦିଆଯାଇନି । ନବୀନ ପଟ୍ଟନାୟକ କିନ୍ତୁ ବସ୍ତି ବାସିନ୍ଦାଙ୍କୁ ସମ୍ମାନର ସହ ଜମି ପଟ୍ଟା ଦେଇଛନ୍ତି । ସାଲିଆ ସାହି ବାସିନ୍ଦାଙ୍କୁ ଉଚ୍ଛେଦ କରି ସେମାନେ ରହୁଥିବା ସ୍ଥାନରେ ସେମାନଙ୍କୁ ଜମି ଅଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଭୁବନେଶ୍ବରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ବସ୍ତିରୁ ଆରମ୍ଭ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ସାଂସଦ ଶିକ୍ଷା ବିଭାଗର ଦାୟିତ୍ବରେ ମଧ୍ୟ ଥିଲେ । ସେ ଗୋଟିଏ ହେଲେ ସ୍କୁଲର ରୂପାନ୍ତରଣ କରିପାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ହେଲେ ମୁଖ୍ୟମନ୍ତ୍ରୀ ସାଲିଆ ସାହିର ପିଲା ପାଠ ପଢୁଥିବା ଆଇଆରସି ଭିଲେଜ ହାଇସ୍କୁଲକୁ ରାଜ୍ୟର ଏକ ନମ୍ବର ସ୍କୁଲ କରିଦେଖାଇଛନ୍ତି । ଯଦି କେହି ରୂପାନ୍ତରଣ କ’ଣ ଜାଣିପାରୁନାହାନ୍ତି, ତେବେ ସେମାନେ ଆଇଆରସି ଭିଲେଜ ହାଇସ୍କୁଲ ଆସି ଦେଖିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଭୁବନେଶ୍ବର ସାଂସଦ ଜଣେ ଆଇଏଏସ ଅଫିସର ଥାଇ ବି କିଭଳି ଅଶାଳୀନ ଶବ୍ଦ ବ୍ୟବହାର କରୁଛନ୍ତି ସେନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶପଥ ନେବା ପରେ ବିଜୁଳି ବିଲ ଛାଡ ସହ ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଘୋଷଣା କରିବେ । ଏହି ଘୋଷଣା ପରେ ମିଶନ ଶକ୍ତି ମହିଳାମାନେ ନବୀନ ନିବାସ ଯାଇ ନାଚିବେ ଏବଂ ସେ ମଧ୍ୟ ତାଙ୍କ ସହ ନାଚିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଏହାପରେ କଲ୍ଯାଣସିଂହପୁର ଓ ନହରକଣ୍ଟାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ କାର୍ତ୍ତିକ । ସେ କହିଥିଲେ, ସମସ୍ତଙ୍କ ଆଶୀର୍ବାଦରେ ନବୀନ ଜୁନ ୯ ତାରିଖରେ ଷଷ୍ଠଥର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ରାଜ୍ଯବାସୀଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରଥମ ଦସ୍ତଖତ କରିବେ । ଏହାପରେ ସମସ୍ତଙ୍କୁ ବିଏସକେୱାଇ ଓ ମିଶନ ଶକ୍ତି ମାଆଙ୍କୁ ପେନସନ ଦେବାକୁ ଅନୁମୋଦନ କରିବେ । ନବୀନ ରାଜନୀତିକୁ ସେବା କରିବାକୁ ଆସିଛନ୍ତି । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରି ପାଣ୍ଡିଆନ କହିଛନ୍ତି, ଅପରାଜିତା ଟୁରିଷ୍ଟଙ୍କ ଭଳି ଆସୁଛନ୍ତି । ସାଢେ ୪ ବର୍ଷ ବୁଲା ବୁଲି ସାରିବା ପରେ ଗଲା ୬ ମାସ ହେବ ଆସି ମନ୍ଦିରରେ ୱାଟର କୁଲିଂ ମେସିନ ଲଗାଉଛନ୍ତି । ରାଜଧାନୀର ସାଂସଦ ବଡ଼ କାମ କରିବା କଥା । ବଡ଼ ନିବେଶ ସହ ଯୁବପିଢିଙ୍କ ପାଇଁ ରୋଜଗାର ଓ ବଡ଼ ପ୍ରକଳ୍ପ ଆଣିବା କଥା । ହେଲେ ଅପରାଜିତା ସେପରି କରିବାରେ ସମ୍ପୂର୍ଣ୍ଣ ବିଫଳ । ଜଣେ ପୂର୍ବତନ ଆଇଏଏସ ଅଫିସର ହୋଇ ବି ଭୁବନେଶ୍ବର ପାଇଁ କୌଣସି ବିକାଶମୂଳକ କାମ କରିପାରିଲେ ନାହିଁ । ଲୋକଙ୍କ ହକ ପାଇଁ ବିଜେଡି ସବୁବେଳେ ଲଢୁଛି । ଆଗାମୀ ଦିନରେ ଲୋକଙ୍କ ପାଇଁ ବଡ଼ କାମ ବିଜେଡି କରିବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତ ଓ ସାଂସଦ ପ୍ରାର୍ଥୀ କ୍ଯାପଟେନ ମନ୍ମଥ ରାଉତରାୟଙ୍କୁ ଭୋଟ ଦେଇ ଜିତାଇବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।