କରୋନା ବଢ଼ାଉଛି ପିଲାଙ୍କ ଓଜନ

ନୂଆଦିଲ୍ଲୀ: କରୋନା ମହାମାରୀର ଜାଲରେ ଛନ୍ଦି ହୋଇ ଯାଇସାରିଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ଦୁଇବର୍ଷ ବିତିବାକୁ ବସିଲାଣି, ଏବେ ବି ପୂରା ବିଶ୍ବ କରୋନା କୋପରୁ ରକ୍ଷା ପାଇନି । ଗୋଟିଏ ପରେ ଗୋଟିଏ ଲହର ଆସୁଛି, ପ୍ରତିଦିନ ଯାଉଛି ଜୀବନ । ଭ୍ୟାକସିନ ବାହାରିଛି ସତ ହେଲେ କରୋନା କୋପରୁ ମୁକୁଳି ପାରିନି ଦୁନିଆ । ବିଶେଷ କରି କରୋନା ପ୍ରଭାବ ପିଲାଙ୍କ ଉପରେ ଅଧିକ ପଡ଼ିଛି । କରୋନା ଯୋଗୁଁ ପିଲାମାନଙ୍କ ଓଜନ ବଢ଼ିବା ସହ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେବା ଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି ।

ସ୍କୁଲ ବନ୍ଦ, ଘରୁ ବାହାରିବା ବି ମୁସ୍କିଲ । ୨୦୨୦ ଆରମ୍ଭରୁ ପିଲାମାନେ ଘରେ ବସିଛନ୍ତି । ଯାହା ପିଲାଙ୍କ ଲାଇଫ ଷ୍ଟାଇଲ ଓ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବାରେ ଲାଗିଛି । ଏମିତି ଘଡିସନ୍ଧି ସମୟରେ ପିଲାମାନଙ୍କ ଉପରେ ବି ନଜର ରଖିବା କାଠିକର ପାଠ ହୋଇଯାଉଛି ମାଆବାପାଙ୍କ ପକ୍ଷେ । ସ୍କୁଲ ବନ୍ଦ ଓ ଶାରୀରିକ କାର୍ଯ୍ୟକଳାପ ଠିକ ନହେବା, ଶୋଇବା ସମୟରେ ଗଡ଼ବଡ଼ ପିଲାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଆଡ଼କୁ ଟାଣି ନେଉଛି । ବିଶେଷ କରି ପିଲାମାନଙ୍କ ମୋଟାପା ଏବେ ସବୁ ବାପାମାଆଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସର ଗଙ୍ଗା ରାମ ହସ୍ପିଟାଲର ମିନିମମ୍ ଆକ୍ସେସ୍, ମୋଟାବୋଲିକ ଓ ବେରିଏକ୍ଟିକ ସର୍ଜରୀ ସଂସ୍ଥା ଅଧ୍ୟକ୍ଷ ଡ. ସୁଧିର କହ୍ଲନ କହିଛନ୍ତି, ‘ଆମେ ୧ ଅକ୍ଟୋବରରୁ ୩୧ ଅକ୍ଟୋବର ମଧ୍ୟରେ ୧୩୦୯ ଜଣ ପିଲାଙ୍କୁ ନେଇ ଏକ ସର୍ଭେ କରିଛୁ । କରୋନା କାଳରେ ଯେଉଁ ପିଲା ଘରେ ବସି ରହିଛନ୍ତି, ସେମାନଙ୍କୁ ଏହି ସର୍ଭେରେ ନିଆାଯାଇଥିଲା । ସର୍ଭେରୁ ଯାହା ରିପୋର୍ଟ ଆସିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବଭଳି ଥିଲା । ସର୍ଭେରେ ୬୦ ପ୍ରତିଶତ ଅର୍ଥାତ ୭୮୫ ପିଲାଙ୍କ ଓଜନ ୧୦ ପ୍ରତିଶତ ବଢ଼ିଥିଲା ।’

କହ୍ଲନଙ୍କ ଅନୁସାରେ, ୩୬.୮ ପ୍ରତିଶତ ପିଲା ଶାରୀରିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା କହିଥିଲେ । ଯାହା ଓଜନ ବଢ଼ିବାର ଏକ ପ୍ରମୁଖ କାରଣ ଥିଲା । ସେହିପରି ୨୭.୫୫ ପ୍ରତିଶତ ପିଲା ଶୋଇବା ସମୟରେ ଗଡ଼ବଡ଼ ଓଜନ ବଢ଼ିବାର କାରଣ କହିଥିଲେ । ୨୨.୪ ପ୍ରତିଶତ ପିଲା ଅଧିକ ଖାଇବାକୁ କାରଣ କହିଥିଲେ । ସର୍ଭେରେ ୬୦ ପ୍ରତିଶତରୁ ଅଧିକ ଲୋକ କହିଥିଲେ ସେମାନଙ୍କ ପିଲାଙ୍କ ଓଜନ ୧୦ ପ୍ରତିଶତରୁ ଅଧିକ ବଢ଼ିଛି । ଅଧିକାଂଶ ମାଆବାପା ଫାଷ୍ଟଫୁଡକୁ ଓଜନ ବଢ଼ିବାର କାରଣ କହିଥିଲେ ।

Leave a Reply