ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା, କର୍ଣ୍ଣାଟକ ମନ୍ତ୍ରୀ ଈଶ୍ୱରାପ୍ପାଙ୍କୁ ସମନ ଜାରି କଲେ ମୁଖ୍ୟମନ୍ତ୍ରୀ

1 min read

ବାଙ୍ଗାଲୋର: କର୍ଣ୍ଣାଟକରେ ବଢ଼ିଲା ମନ୍ତ୍ରୀ କେ.ଏସ. ଈଶ୍ୱରାପ୍ପାଙ୍କ ଅଡୁଆ । ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଈଶ୍ୱରାପ୍ପା ଓ ତାଙ୍କ ଦୁଇ ସହଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି । କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ଦାୟର ହୋଇଛି ମାମଲା । ଏନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମନ୍ତ୍ରୀଙ୍କୁ ସମନ ଜାରି କରିଛନ୍ତି । ମନ୍ତ୍ରୀଙ୍କ ନାମରେ FIR ଦାୟର ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଈଶ୍ୱରାପ୍ପାଙ୍କ ବିରୋଧରେ ମାମଲା ରୁଜୁ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ।

ଏହି ଘଟଣାରେ ଈଶ୍ବରାପ୍ପା ଇସ୍ତଫା ଦିଅନ୍ତୁ ବୋଲି ଚାହିଁଛନ୍ତି ବହୁ ମନ୍ତ୍ରୀ । ମୃତ କଣ୍ଟ୍ରାକ୍ଟର ସନ୍ତୋଷଙ୍କ ଭାଇ ପ୍ରଶାନ୍ତ ଉଡୁପି ଥାନାରେ ଏନେଇ ଏକ ମାମଲା ରୁଜୁ କରିବା ସହ ମନ୍ତ୍ରୀ ଓ ସହଯୋଗୀମାନେ ସନ୍ତୋଷଙ୍କ ଆତ୍ମହତ୍ୟା କରିବା ପାଇଁ ଦାୟୀ ବୋଲି ଅଭିଯୋଗ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସନ୍ତୋଷ ଏକ ସୁଇସାଇଡ ନୋଟରେ ମନ୍ତ୍ରୀଙ୍କ ନାଁ ଉଲ୍ଲେଖ କରିଥିବା କୁହାଯାଉଛି ।

ଗତ ମଙ୍ଗଳବାର ଉଡୁପିର ଜଣେ କଣ୍ଟ୍ରାକ୍ଟର ସନ୍ତୋଷଙ୍କ ମୃତଦେହ ଉଡୁପିର ଏକ ଲଜରୁ ଉଦ୍ଧାର କରାଯାଇଥିଲା । ପୂର୍ବରୁ ତାଙ୍କୁ ବାରମ୍ବାର ହାରାସ କରାଯାଉଛି ବୋଲି ମନ୍ତ୍ରୀ ଈଶ୍ୱରାପ୍ପା ଓ ସହଯୋଗୀଙ୍କ ବିରୋଧରେ ସନ୍ତୋଷ ଅଭିଯୋଗ କରିଥିଲେ । ପ୍ରଶାନ୍ତ ଅଭିଯୋଗ କରିଛନ୍ତି ତାଙ୍କ ଭାଇଙ୍କୁ ମନ୍ତ୍ରୀ ଈଶ୍ୱରାପ୍ପା କମିଶନ ଚାହିଁଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ । ଏପରିକି ଏହି ଘଟଣାକୁ ନେଇ ସନ୍ତୋଷଙ୍କୁ ଧମକ ମଧ୍ୟ ମିଳିଥିଲା ।