ମଞ୍ଚରେ ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ କଥା, ହାତାହାତି ହେଲେ ମନ୍ତ୍ରୀ ଓ ସାଂସଦ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହାତାହାତି ହେଲେ ମନ୍ତ୍ରୀ ଓ ସାଂସଦ । ମଞ୍ଚ ଉପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାମନଗରରେ । ବି.ଆର ଆମ୍ବେଦକର ଓ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେ ଗୌଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ସେଠାରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବସିଥିବାବେଳେ ରାଜ୍ୟ ଆଇଟି ମନ୍ତ୍ରୀ ସିଏନ ଅଶ୍ବଥ ନାରାୟଣ ଓ ବେଙ୍ଗାଳୁରୁ ରୁରାଲର କଂଗ୍ରେସ ସାଂସଦ ଡି.କେ. ସୁରେଶ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସମୟରେ ମନ୍ତ୍ରୀ ଅଶ୍ବଥ ନାରାୟଣ କଂଗ୍ରେସ ସାଂସଦ ଡି.କେ ସୁରେଶ ଓ ତାଙ୍କ ଭାଇଙ୍କ ବିରୋଧରେ ଭାଷଣ ଦେବାରୁ ଏହାର ପ୍ରତିବାଦ କରିଥିଲେ କଂଗ୍ରେସ ସମର୍ଥକ । ଏପରିକି ମନ୍ତ୍ରୀ ସଭାର ନୀତି ନିୟମ ଭୁଲି ଡିକେ ବ୍ରଦର୍ସଙ୍କ ନାମ ନେଇ କିଛି ଟିପ୍ପଣୀ ଦେଇଥିଲେ । ଏହି ମନ୍ତବ୍ୟ ପରେ ସାଂସଦ ସୁରେଶ ଆସନରୁ ଉଠିଯାଇଥିଲେ ଏବଂ ସାଧାରଣ ସଭାରେ ଏହି ଧରଣର ମନ୍ତବ୍ୟକୁ ବିରୋଧ କରିଥିଲେ । କିଛି ସମୟ ଧରି ମନ୍ତ୍ରୀ ଓ ସାଂସଦଙ୍କ ମଧ୍ୟରେ ଠେଲାପେଲା ଲାଗିଥିଲା । ଏହାକୁ ନେଇ କଂଗ୍ରେସ ସମର୍ଥକମାନେ ଉତ୍ତେଜିତ ହୋଇ ନାରାବାଜି ପ୍ରଦର୍ଶନ କରିଥିଲେ । ଏହି ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ନୀରବ ହୋଇ ବସିରହିଥିଲେ । ସେ ଦୁଇ ପକ୍ଷଙ୍କୁ ଶାନ୍ତ ରହିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କେହି ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲା ।

Leave a Reply