କର୍ଣ୍ଣାଟକ ବିଧାନସଭାରେ ମାନନୀୟଙ୍କ ଲଜ୍ଜାଜନକ ବକ୍ତବ୍ୟ,‘ଦୁଷ୍କର୍ମ ରୋକି ପାରିବନି ତ’ %&$ ମଜା ନିଅ’

1 min read

ମହୀଶୁର/ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ଆର ରମେଶ କୁମାର ଦୁଷ୍କର୍ମକୁ ନେଇ ତାଙ୍କ ବୟାନ ପାଇଁ କ୍ଷମା ମାଗିବା ପରେ ମଧ୍ୟ ବିବାଦ ଥମି ନାହିଁ । ସୋସିଆଲ ମିଡିଆରେ ରମେଶଙ୍କ ସହିତ ପୁରା ବିଧାନସଭାର ସଦସ୍ୟଙ୍କୁ ସେମାନଙ୍କ ଅସମ୍ବେଦନଶୀଳତା ପାଇଁ ସମାଲୋଚନାର ଶିକାର ହେବାକୁ ପଡୁଛି । ରମେଶ ଯେତେବେଳେ ଗୃହ ମଧ୍ୟରେ ଦୁଷ୍କର୍ମକୁ ନେଇ ଅଶୋଭନୀୟ କଥା କହୁଥିଲେ ବାକି ସଦସ୍ୟ ତାଙ୍କ କଥା ଶୁଣି ହସୁଥିଲେ । ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି ଯେ, ଏଭଳି ଆପତ୍ତିଜନକ ବକ୍ତବ୍ୟ ଶୁଣି ମାନନୀୟ ମାନେ କେମିତି ହସି ପାରୁଥିଲେ ।

ରମେଶ କ’ଣ କହିଥିଲେ ?

ରମେଶ କୁମାର କର୍ଣ୍ଣାଟକ ବିଧାନସଭା ମଧ୍ୟରେ କହିଥିଲେ ଯେ, ‘‘ଦେଖନ୍ତୁ କଥାରେ ଅଛି-ଯେତେବେଳେ ଦୁଷ୍କର୍ମ ହେବାର ହିଁ ଅଛି ସେତେବେଳେ ଶୋଇଯାଅ ଓ ମଜା ନିଅ’’ । ଯେତେବେଳେ ପୂର୍ବତନ ବାଚସ୍ପତି ଏମିତି କହୁଥିଲେ ସେତେବେଳେ ବାକି ସଦସ୍ୟ ତାଙ୍କ କଥା ଶୁଣି ହସୁଥିଲେ । କେବଳ ସଦସ୍ୟ ନୁହନ୍ତି ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗରି ମଧ୍ୟ ତାଙ୍କ କଥା ଶୁଣି ହସୁଥିବା ଦେଖିବାକୁ ମିଳିଥିଲା । ଏପରିକି ରମେଶଙ୍କ ବିରୋଧରେ ଏଭଳି ଆପତ୍ତିଜନକ ବକ୍ତବ୍ୟ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରା ଯାଇନଥିଲା । ପରେ ସୋସିଆଲ ମିଡିଆରେ ବିରୋଧ କାରଣରୁ ରମେଶ ଗୃହରେ କ୍ଷମା ମାଗିଥିଲେ । ତେବେ କ୍ଷମା ମାଗିବା ବେଳେ ସେ ଯେଉଁ ସବୁ ଶବ୍ଦ ବ୍ୟବହାର କରିଛନ୍ତି ସେଥିରୁ ଜଣା ପଡୁଛି ଯେ, ମାନ୍ୟବରଙ୍କ ମନରେ ନିଜ ବକ୍ତବ୍ୟ ପାଇଁ କେତେ କ୍ଷୋଭ ଅଛି । ସେ କହିଥିଲେ ଯେ, ଯଦି ମୋ କଥା ଦ୍ୱାରା ମହିଳାଙ୍କ ସମ୍ମାନହାନୀ ହୋଇଛି ତେବେ ମୁଁ ଆନ୍ତରିକତା ସହିତ କ୍ଷମା ମାଗୁଛି । ରମେଶ କୁମାର କ୍ଷମା ମାଗି ଯାହା କହିଛନ୍ତି ସେଥିରୁ ଜଣା ପଡୁଛି ଯେ, ସେ ଏବେ ମଧ୍ୟ ଭାବୁ ନାହାନ୍ତି ଯେ, ତାଙ୍କ ବକ୍ତବ୍ୟ ଭୁଲ ଥିଲା । ଯଦି ସେ ଭୁଲ କରିଛନ୍ତି ବୋଲି ଭାବୁଥାନ୍ତେ ତେବେ ନିଶ୍ଚିତ ଭାବେ ‘‘ଯଦି’’ ଶବ୍ଦର ବ୍ୟବହାର କରିନଥାନ୍ତେ ।
ରମେଶଙ୍କର ବିବାଦ ସହିତ ସମ୍ପର୍କ ଢେର ପୁରୁଣା । ଦୁଇ ବର୍ଷ ତଳେ ସେ ଗୋଟିଏ ବୟାନ ଦେଇ ନିଜକୁ ଦୁଷ୍କର୍ମ ପୀଡିତାଙ୍କ ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ, ଦୁଷ୍କର୍ମ ଥରୁଟିଏ ହୁଏ କିନ୍ତୁ ଯଦି ଆପଣ ସେହି ଘଟଣାକୁ ସେଇଠି ଛାଡି ଦେଇଥାନ୍ତ ତେବେ ତାହା ବିତି ଯାଇଥାନ୍ତା । କିନ୍ତୁ ଯେତେବେଳେ ଆପଣ ଥାନାକୁ ଯାନ୍ତି, କୋର୍ଟକୁ ଯାନ୍ତି ସେତେବେଳେ ବାରମ୍ବାର ଆପଣଙ୍କୁ ଦୁଷ୍କର୍ମ କେମିତି ହେଲା, କେଉଁଠି ହେଲା ଓ କେବେ ହେଲା ଭଳି ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।

ବିଜେପିର ରମେଶଙ୍କୁ ଆଳ କରି ପ୍ରିୟଙ୍କାଙ୍କୁ ଟାର୍ଗେଟ୍

ଏଣେ ରମେଶଙ୍କ ବୟାନକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରମେଶଙ୍କୁ ପ୍ରିୟଙ୍କା ଦଳରୁ ବାହାର କରନ୍ତୁ ବୋଲି ଦାବି କରିଛନ୍ତି । କିନ୍ତୁ ଜାଣିଶୁଣି ସେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଆଚରଣକୁ ଭୁଲ ଯାଇଛନ୍ତି । ରମେଶ ଯେତେବେଳେ ଏଭଳି ଘୃଣ୍ୟ ବୟାନ ଦେଉଥିଲେ ସେତେବେଳେ ବାଚସ୍ପତି ବିଶ୍ୱେଶ୍ୱର, ଯିଏକି ବିଜେପିରୁ ଆସନ୍ତି ହସୁଥିଲେ ।

Leave a Reply