ପୁଣି ବଢ଼ିଲା କର୍ଣ୍ଣାଟକରେ ବିଜେପି ସଙ୍କଟ, ଦଳ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର

ବେଙ୍ଗାଲୁରୁ: ପୁଣି ବଢ଼ିଲା କର୍ଣ୍ଣାଟକରେ ବିଜେପି କ୍ରାଇସିସ୍ । ବିଜେପି ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର । ଟିକେଟରୁ ବଞ୍ଚିତ ସେଟ୍ଟର କିଛି ଦିନ ଧରି ହାଇକମାଣ୍ଡଙ୍କୁ ବିରୋଧ କରିଆସୁଥିଲେ । ବିଜେପି ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । କଂଗ୍ରେସ ସରକାର ଅମଳରେ ବିରୋଧୀ ଦଳ ନେତା ଭୂମିକା ତୁଲାଇଥିବା ସେଟ୍ଟରଙ୍କ ଲାଗି ଏବେ ଦଳୀୟ ନେତା ଚିନ୍ତାରେ ପଡ଼ିଛନ୍ତି ।

ତାଙ୍କ ବିରୋଧରେ ଦଳର ନେତାମାନେ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେଟ୍ଟର । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ସେ ଶେଷରେ ଇସ୍ତଫାର ପଥ ବାଛିଥିଲେ । ତେବେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ସେଟ୍ଟର । ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି କେ ଏସ ଇଶ୍ୱରପ୍ପା । ସେହିପରି ବିଜେପିରୁ ଇସ୍ତଫା ଦେଇଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡ଼ି ।