ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି

ବେଙ୍ଗାଲୁରୁ: ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି । ନିର୍ବାଚନ ୭ ଦିନ ପୂର୍ବରୁ ସର୍ଭେରେ ମତ ଦେଇଛନ୍ତି କର୍ଣ୍ଣାଟକ ଭୋଟର । ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପିକୁ ଦୁର୍ନୀତିଗ୍ରସ୍ତ କହିଛନ୍ତି ଜନତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ସେମି ଫାଇନାଲ । ୨୪ରେ କ’ଣ ରହିବ ରାଜନୈତିକ ପାଣିପାଗ ତାହା କର୍ଣ୍ଣାଟକ ରେଜଲ୍ଟ ଉପରେ ନିର୍ଭର କରେ । କାହା ସପକ୍ଷରେ ଯିବ ଜନମତ ? କାହାକୁ ଭରସା କରିବେ ଭୋଟର ? ବିଜେପି ନା କଂଗ୍ରେସକୁ କ୍ଷମତା ଭେଟିଦେବେ କର୍ଣ୍ଣାଟକ ଜନତା ? ତା’ ଉପରେ ପୂରା ଦେଶର ନଜର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଫେସ୍ ବିନା ହିଁ ଉଭୟ ବିଜେପି ଓ କଂଗ୍ରେସ ମୈଦାନରେ ବଳ କସୁଛନ୍ତି । ସେପଟେ କର୍ଣ୍ଣାଟକର ସମ୍ଭାବ୍ୟ ସିଏମ ପ୍ରାର୍ଥୀଙ୍କୁ ନେଇ ଜାତୀୟ ଗଣମାଧ୍ୟମ କରିଥିବା ଏକ ରିପୋର୍ଟରେ ସିଦ୍ଧରମୈୟା ଟପରେ ରହିଛନ୍ତି ।

ସିଏମ ଫେସ୍ ପାଇଁ ଲୋକପ୍ରିୟ ହେଉଛନ୍ତି କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କର୍ଣ୍ଣାଟକର ୪୦ ପ୍ରତିଶତ ଲୋକ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି । ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଜନତାଙ୍କ ଦ୍ବିତୀୟ ପସନ୍ଦ ହୋଇଥିବା ବେଳେ ତାଙ୍କୁ ୨୨ ପ୍ରତିଶତ ଲୋକଙ୍କ ସମ୍ମତି ମିଳିଛି । ସେହିପରି ଜେଡିଏସର ଏଚ ଡି କୁମାରସ୍ବାମୀଙ୍କୁ ୧୫ ପ୍ରତିଶତ, ପିସିସି ସଭାପତି ଡି କେ ଶିବକୁମାରଙ୍କୁ ୪ ପ୍ରତିଶତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ୫ ପ୍ରତିଶତ ଲୋକଙ୍କ ସପୋର୍ଟ ମିଳିଛି । ଏହାଛଡ଼ା ୧୨ ପ୍ରତିଶତ ଜନତା ଅନ୍ୟାନ୍ୟ ବୋଲି ମତ ଦେଇଛନ୍ତି । ବୟସ୍କ ଭୋଟର ସିଦ୍ଧରମୈୟାଙ୍କୁ ପସନ୍ଦ କରୁଥିବା ବେଳେ ଯୁବଗୋଷ୍ଠୀ ବୋମ୍ମାଇଙ୍କୁ ସମର୍ଥନ ଦେଇଛନ୍ତି । ସର୍ଭେରେ ଜନତାଙ୍କୁ ଦଳ ଓ ପ୍ରାର୍ଥୀଙ୍କ ସମ୍ପର୍କରେ ପଚରା ଯାଇଥିବା ବେଳେ ୫୬ ପ୍ରତିଶତ ଲୋକ ଦଳକୁ ଦେଖି ଭୋଟ ଦେଉଥିବା କହିଥିଲେ । ୩୮ ପ୍ରତିଶତ ଲୋକ ପ୍ରାର୍ଥୀ ଦେଖି ମତଦାନ କରୁଥିବା କହିଥିଲେ । ସର୍ଭେରେ ଭ୍ରଷ୍ଟାଚାର, ପରିବାରବାଦ ଓ ବିକାଶକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ୫୯ ପ୍ରତିଶତ ଲୋକ ବିଜେପିକୁ ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି ଉତ୍ତର ରଖିଛନ୍ତି ।