‘କର୍ଣ୍ଣାଟକରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ’

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାଜ୍ୟରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ ବୋଲି କହିଛନ୍ତି ରାହୁଲ । ବିଜେପିକୁ ୪୦ ସଂଖ୍ୟା ସୁହାଉଛି । ଏଣୁ ଆସନ୍ତା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୪୦ ଆସନ ପାଇବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପଞ୍ଚାୟତକୁ ଏକ କୋଟି ଲେଖାଏ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ସେପଟେ ଅଭିନେତା ଶିବରାଜ କୁମାରଙ୍କ ପତ୍ନୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ. ବାଙ୍ଗାରାପ୍ପାଙ୍କ କନ୍ୟା ଗୀତା ଶିବରାଜ କୁମାର କଂଗ୍ରେସରେ ସାମିଲ ।

ଜେଡିଏସ ପରିତ୍ୟାଗ କରି କଂଗ୍ରେସର ହାତ ଧରିଛନ୍ତି ଗୀତା । ପିସିସି ସଭାପତି ଡି.କେ. ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଗୀତା । ୨୦୧୪ରେ ଶିବମୋଗା ଲୋକସଭା ଆସନରୁ ଜେଡିଏସ ଟିକେଟରେ ଲଢି ସେ ପରାଜିତ ହୋଇଥିଲେ । ଏହି ଆସନରୁ ବିଜୟୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ୟୁରପ୍ପା ।

୨୦୨୧ରେ ଗୀତାଙ୍କ ଭାଇ ମଧୁ ବାଙ୍ଗରାପ୍ପା ବି ଜେଡିଏସ ତ୍ୟାଗ କରି କଂଗ୍ରେସରେ ମିଶିଥିଲେ । ସେତେବେଳେ ଭାଇଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ ଗୀତା । ଗୀତାଙ୍କ ଅନ୍ୟ ଜଣେ ଭାଇ କୁମାର ବାଙ୍ଗରାପ୍ପା ବିଜେପିରେ ଅଛନ୍ତି । ସେ ସୋରବା ବିଧାନସଭା ଆସନରୁ ବର୍ତ୍ତମାନ ବିଧାୟକ ଅଛନ୍ତି । ଆସନ୍ତା ନିର୍ବାଚନରେ ସୋରବା ଆସନ ଦେଖିବ ଦୁଇ ଭାଇଙ୍କ ମଧ୍ୟରେ ଲଢେଇ । ମଧୁ କଂଗ୍ରେସ ଟିକେଟରେ ଲଢୁଥିବାବେଳେ କୁମାର ଲଢୁଛନ୍ତି ବିଜେପି ଟିକେଟରୁ ।