୨୨୪ ଆସନରେ ମେ ୧୦ରେ ପଡିବ ଭୋଟ, ୧୩ରେ ଗଣତି

ନୂଆଦିଲ୍ଲୀ: ମେ ୧୦ରେ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ପଡିବ ଭୋଟ । ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ୨୨୪ ବିଧାନସଭା ଆସନରେ ଅନୁଷ୍ଠିତ ହେବ ନିର୍ବାଚନ । ମେ ୧୩ରେ ଭୋଟ  ଗଣତି ନେଇ  ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଗୋଟିଏ ପର୍ଯ୍ୟାୟରେ 224 ଆସନ ପାଇଁ ଭୋଟ ଗ୍ରହଣ ହେବ ।  ଏପ୍ରିଲ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ୨୧ ଏପ୍ରିଲରେ ଯାଞ୍ଚ, ଏପ୍ରିଲ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି ।

ନିରପେକ୍ଷ ନିର୍ବାଚନ ଆମର ଲକ୍ଷ୍ୟ ବୋଲି କହିଛନ୍ତି ।  ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ଅର୍ଥବଳ ଓ ବାହୁବଳ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଯାଇଛି ବୋଲି ସିଇସି କହିଛନ୍ତି । ନିର୍ବାଚନ ବେଳେ ଟଙ୍କା କାରବାର ଉପରେ କଟକଣା ପାଇଁ ୧୭୧ ଟି ଚେକପୋଷ୍ଟ କରାଯାଇଛି । ରାଜନୈତିକ ଦଳଗୁଡ଼ିକର ନିର୍ବାଚନୀ ଘୋଷଣା ଓ ମାଗଣା ପ୍ରତିଶ୍ରୁତି ଉପରେ ମଧ୍ୟ ନିର୍ବାଚନ କମିସନଙ୍କ ନଜରରେ ରହିବ । ଏ ନେଇ ରାଜନୈତିକ ଦଳଗୁଡ଼ିକୁ ସତର୍କ କରାଇଛନ୍ତି ସିଇସି ରାଜୀବ କୁମାର ।