କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ; ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ। ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ରାଜ୍ଯପାଳ ଥାଓ୍ବରଚାନ୍ଦ ଗେହଲଟ ନିର୍ଦ୍ଦେଶ ଦେବା ପରେ ତାତିଛି କଂଗ୍ରେସ । ରାଜ୍ଯବ୍ଯାପୀ ପ୍ରତିବାଦ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାର । ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ ଅନୁସାରେ ମାମଲା ଦାୟର ଲାଗି ରାଜ୍ଯପାଳ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସିଦ୍ଦରମୈୟା ଆଇନଗତ ଭାବେ ଲଢିବେ ବୋଲି ଦଳ କହିଛି ।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଉଭୟ ବିଜେପି ଓ ଜେଡିଏସ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଦିଲ୍ଲୀ ପରେ ସେମାନେ କର୍ଣ୍ଣାଟକରେ ବି ଷଡଯନ୍ତ୍ର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ରାଜ୍ଯପାଳ ରାଜନୈତିକ ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ବ୍ଯାପାରରେ ଥିବା କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେବାଲା । ସେପଟେ ମୁଡା ସ୍କାମକୁ ନେଇ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି ବିଜେପି ଓ ଜେଡିଏସ ।