ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ବିଧାୟକମାନେ: ସିଦ୍ଧରମେୟା, କଣ କହିଲେ ଶିବକୁମାର?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧରମେୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଡିକେ ଶିବକୁମାର ସୋମବାର ଦିଲ୍ଲୀ ଯିବା ପାଇଁ ମନା କରିଦେଇଥିବା ବେଳେ ଅନ୍ୟପକ୍ଷରେ ସିଦ୍ଧରମେୟା ଦାବି କରିଛନ୍ତି ଯେ ଅଧିକତର ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟାଙ୍କ ଏହି ଚାଲ ଆଗରେ ଶିବକୁମାର ଫଶିଯାଉଥିବାର ନଜର ଆସିଛନ୍ତି । ପ୍ରଥମେ ତ ସେ ଆଜି ଦିଲ୍ଲୀ ଗଲେନାହିଁ ଏବଂ ପରେ କହିଥିଲେ ଯେ ମୁଁ ମଙ୍ଗଳବାର ହାଇକମାଣ୍ଡକୁ ଭେଟିବାକୁ ଯିବି । ସିଏମ ପଦକୁ ନେଇ ଦଳ ହାଇକମାଣ୍ଡ ନିଷ୍ପତ୍ତି ନେବ ।

ମୁଁ କୌଣସି ବି ବିଧାୟକ ଚାହୁଁନାହିଁ ତାହା ୧୨୫ ହେଉ ବା ୧୩୫ । ସେମାନେ ସବୁ କଂଗ୍ରେସ ଦଳର ବିଧାୟକ ଅଟନ୍ତି ବୋଲି ଶିବକୁମାର କହିଥିଲେ । ଅବଶ୍ୟ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବାକୁ ତାଙ୍କ ଆବାସରେ ପହଞ୍ଚିଛନ୍ତି । ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ସେହିପରି ସିଦ୍ଧରମେୟା ସୋମବାର ଦିଲ୍ଲୀରେ ପହଞ୍ଚିଥିଲେ । ଯେତବେଳେ ସିଦ୍ଧରମେୟାଙ୍କୁ ପଚରାଯାଇଥିଲା ଯେ ଯଦି ଡିକେ ଶିବକୁମାରଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରେ ତେବେ କଣ ସେ ତାଙ୍କର ସମର୍ଥନ କରିବେ । ଏହାର ଜବାବରେ ସେ କହିଥିଲେ ଏପରି ସ୍ଥିତି ଉପୁଜିବ ହିଁ ନାହିଁ । ମୋ ହିସାବରେ ଅଧିକତର ବିଧାୟକ ମୋତେ ଭୋଟ ଦେଇଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସୁରେଜୱାଲା କହିଛନ୍ତି ଯେ, ଦଳ ସଭାପତିଙ୍କ ପକ୍ଷରୁ ୩ଜଣ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁ ପଠାଯାଇଥିଲା । ସେମାନେ ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ସଭାପତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ରିପୋର୍ଟ ଆଧାରରେ କଂଗ୍ରେସ ସଭାପତି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ଯେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀ ନେଇ ସ୍ପଷ୍ଟ ସୂଚନା ମିଳିଯିବ ବୋଲି ଅନୁମାନ କରାଯାଉଛି ।