ଦିନକ ପାଇଁ ବସ୍ କଣ୍ଡକ୍ଟର ସାଜିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

1 min read

ବେଙ୍ଗାଲୁରୁ: ବସ୍ କଣ୍ଡକ୍ଟର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ଦିନକ ପାଇଁ କଣ୍ଡକ୍ଟର ସାଜି ବସରେ କାଟିବେ ଯାତ୍ରୀଙ୍କ ଟିକେଟ୍ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଶକ୍ତି ଯୋଜନାର କରିବେ ଶୁଭାରମ୍ଭ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ଗତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ସେହି ପ୍ରତିଶ୍ରୁତି ଅନୁସାରେ ଆଜି ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ଦେବେ ମାଗଣା ଟିକେଟ ।

କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଲୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବା ବିଏମଟିସି ବସରେ ଯାତ୍ରା କରିବେ ଓ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଏହି ଯୋଜନାର ଶୁଭାରମ୍ଭ କରିବେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ମହିଳା ଯେପରି ଏହି ସୁବିଧା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସିଦ୍ଧରମୈୟା । ଗତ ନିର୍ବାଚନରେ କଂଗ୍ରେସ ଦେଇଥିଲା ୫ଟି ଗ୍ୟାରେଣ୍ଟି । ସେଗୁଡିକ ହେଲା- ମାଗଣା ବିଦ୍ୟୁତ ଯୋଗାଣ ସଂକ୍ରାନ୍ତ ଗୃହଜ୍ୟୋତି ଯୋଜନା, ମହିଳାଙ୍କୁ ମାସିକ ୨ ହଜାର ଲେଖାଏଁ ଟଙ୍କା ସହାୟତା ସଂକ୍ରାନ୍ତ ଗୃହଲକ୍ଷ୍ମୀ ଯୋଜନା, ପ୍ରତି ବିପିଏଲ ପରିବାରକୁ ମାସିକ ମାଗଣା ୧୦ କେଜି ଚାଉଳ ଯୋଗାଣ ସଂକ୍ରାନ୍ତ ଅନ୍ନ ଭାଗ୍ୟ ଯୋଜନା, ମହିଳାଙ୍କୁ ମାଗଣା ବସସେବା ସଂକ୍ରାନ୍ତ ଉଚିତା ପ୍ରୟାଣ ଯୋଜନା ଏବଂ ଡିଗ୍ରୀଧାରୀ ବେକାରଙ୍କ ଲାଗି ୨୪ ମାସ ଯାଏଁ ମାସିକ ୩ ହଜାର ଲେଖାଏଁ ଭତ୍ତା ପ୍ରଦାନ ସଂକ୍ରାନ୍ତ ଯୁବନିଧି ଯୋଜନା । ଆସନ୍ତା ଜୁଲାଇ  ଏକ ଅନ୍ନଭାଗ୍ୟ ଯୋଜନା, ଅଗଷ୍ଟ ୧୫ରୁ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ।