କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଆଜି, ଜାଣନ୍ତୁ କେତେ ଆସନ ପାଇଲେ ସରକାରରେ ରହିବ ବିଜେପି

1 min read

ବେଙ୍ଗଳୁରୁ : ଆଜି କର୍ଣ୍ଣାଟକର ୟେଦିୟୁରପ୍ପା ସରକାରଙ୍କ ପାଇଁ ବଡ଼ ଦିନ । ଡିସେମ୍ୱର ୫ ତାରିଖରେ ହୋଇଥିବା ୧୫ଟି ବିଧାନସଭା ଆସନରେ ଉପନିର୍ବାଚନର ଆଜି ଭୋଟ୍ ଗଣତି କରାଯିବ । ଏଥିପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଗତ ଜୁଲାଇ ମାସରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ଭାଙ୍ଗିବା ସହ ସରକାର ଭାଙ୍ଗିବାରେ ଏହି ୧୫ ବିଧାୟକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସମସ୍ତେ ଇସ୍ତଫା ଦେଇଥିଲେ । ବାଚସ୍ପତି ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସାନି ନିର୍ବାଚନ ପାଇଁ ରାୟ ଦେଇଥିଲେ । ଅଯୋଗ୍ୟ ଘୋଷିତ ସବୁ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି କୋର୍ଟ କହିଥିଲେ । ଏହାପରେ କର୍ଣ୍ଣାଟକରେ ଉପନିର୍ବାଚନ ହୋଇଥିଲା ।

ଏବେ ବିଜେପି ପାଖରେ କର୍ଣ୍ଣାଟକରେ ୧୦୫ ବିଧାୟକ ଥିବା ବେଳେ ଜଣେ ସ୍ୱାଧୀନ ବିଧାୟକଙ୍କର ସମର୍ଥନ ରହିଛି । ସେହିପରି କଂଗ୍ରେସ ପାଖରେ ୬୬ ଓ ଜେଡିଏସ୍ ପାଖରେ ୩୪ ବିଧାୟକ ଅଛନ୍ତି । ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୩ ଆସନର ଆବଶ୍ୟକତା ରହିଛି । ତେବେ ଉପ ନିର୍ବାଚନ ପରେ ବି ୨ଟି ଆସନ ଖାଲି ରହିଥିବାରୁ ୧୧୨ ଆସନ ସଂଖ୍ୟାଗରିଷ୍ଠତା ପାଇଁ ଦରକାର ।

ବିଜେପି ପାଖରେ ୧୦୬ ଥିବାରୁ ଏବେ ୧୫ରୁ ଅତିକମରେ ବିଜେପିକୁ ୬ଟି ଆସନ ଆବଶ୍ୟକ ହେଉଛି । ତେଣୁ ୟେଦିୟୁରପ୍ପାଙ୍କୁ ସରକାରରେ ରହିବାକୁ ହେଲେ ୬ଟି ଆସନରେ ବିଜୟ ସୁନିଶ୍ଚିତ କରିବା ଦରକାର । ସେପଟେ କଂଗ୍ରେସ କହିଛି ୧୦ଟି ଆସନରେ ଜିତିବ । ବିଜେପି କହିଛି  ୧୩ ଆସନ ସେମାନେ ନିଶ୍ଚୟ ଜିତିବେ ।

Leave a Reply