କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତିର ପ୍ରତିବାଦ
କର୍ଣ୍ଣାଟକ : କର୍ଣ୍ଣାଟକରେ ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ଗର୍ଜନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି କଂଗ୍ରେସ । ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଜେପି ବିଧାୟକ ମଦାଲ ବିରୂପାକ୍ଷପ୍ପାଙ୍କୁ ଗିରଫ ଲାଗି ଦାବି କରିଛି କଂଗ୍ରେସ । ଗତକାଲି ବାପାଙ୍କ ପକ୍ଷରୁ ୪୦ଲକ୍ଷ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ ପୁଅ ପ୍ରଶାନ୍ତ । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ କାରନାମା ସାମ୍ନାକୁ ଆସିଥିଲା । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଥିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ଲାଞ୍ଚ ନେଇ ଧରାପଡ଼ିବା ପରେ ପ୍ରଶାନ୍ତଙ୍କ ଘରୁ ଓ ଅଫିସରୁ ୮ କୋଟି ଟଙ୍କା ଜବତ ହୋଇଥିଲା । ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଥିଲେ ବିଜେପି ବିଧାୟକ ବିରୂପାକ୍ଷପ୍ପା । ଛନ୍ନାଗିରି ବିଧାୟକ ବିରୂପାକ୍ଷପା ମଇସୁର ସାଣ୍ଡେଲ ପ୍ରସ୍ତୁତ କରୁଥିବା କର୍ଣ୍ଣାଟକ ସୋପସ୍ ଆଣ୍ଡ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଥିଲେ ବିଧାୟକ ବିପୂପାକ୍ଷପ୍ପା । କର୍ଣ୍ଣାଟକରେ ପିସି ଆଦାୟ ନୂଆ ନୁହେଁ । କଣ୍ଟ୍ରାକ୍ଟରମାନଙ୍କୁ ନେତା, ମନ୍ତ୍ରୀ ୪୦ପ୍ରତିଶତ କମିସନ ମାଗୁଥିବା ଅଭିଯୋଗ କରି ୨୦୨୧ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା କଣ୍ଟ୍ରାକ୍ଟର ସଂଘ ।