କର୍ଣ୍ଣାଟକରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା; ବାପାକୁ ହତ୍ୟା ପରେ ୩୦ ଖଣ୍ଡ କଲା ରାକ୍ଷସ ପୁଅ

ବେଙ୍ଗାଲୁରୁ: ଶ୍ରଦ୍ଧା ୱାକର ବିଭତ୍ସ ହତ୍ୟାକାଣ୍ଡ ଘଟଣା ଏବେ ବି ଦେଶବାସୀଙ୍କ ମନରୁ ଲିଭିନି । ଲିଭ୍ ଇନ୍ ପାର୍ଟନର ଅଫତାବ ପୁନାୱାଲା ଶ୍ରଦ୍ଧାଙ୍କ ହତ୍ୟା ପରେ ମୃତଶରୀରକୁ ୩୫ ପିସ୍ କରି ଫୋପାଡ଼ି ଦେଇଥିଲା । ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ଶରୀରର ଅଂଶବିଶେଷକୁ ଫୋପାଡ଼ିଥିଲା । ଏହି ଘଟଣା ଦେଶକୁ ଦୋହଲାଇ ଦେଇଥିଲା । ଏବେ ଏହିପରି ଆଉ ଏକ ଭୟଙ୍କର ମାମଲା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ନିର୍ଦ୍ଦୟୀ ଓ ରାକ୍ଷସ ପୁଅ ନିଜ ବାପାଙ୍କର ହତ୍ୟା କରିଦେଇଛି ଏବଂ ତାଙ୍କ ମରଶରୀରକୁ ୩୦ ଖଣ୍ଡ କରି ବୋରୱେଲରେ ଫୋପାଡ଼ି ଦେଇଛି ।

ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଛାତି ଥରାଇ ଦେଇଥିବା ଏହି ଘଟଣା ଟି କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ଅଟେ । ଯେଉଁଠାରେ ମୁଧୋଲ ଅଞ୍ଚଳରେ ଅଭିଯୁକ୍ତ ପୁଅ ନିଜ ବାପାଙ୍କ ହତ୍ୟା କରି ଶବକୁ ୩୦ ଖଣ୍ଡରେ କାଟି ଦେଇଛି ଏବଂ ଏହି ଅଂଶବିଶେଷକୁ ବୋରୱେଲରେ ଫୋପାଡ଼ି ଦେଇଛି । ଅଭିଯୁକ୍ତର ବୟସ ୨୦ ବର୍ଷ ହୋଇଥିବା କୁହାଯାଉଛି । ତେବେ ଘଟଣାଟି ୬ ଡିସେମ୍ବରରେ ଘଟିଥିଲା । ଅଭିଯୁକ୍ତ ପୁଅର ଚିହ୍ନଟ ବିଠଲ କୁଲାଲି ରୂପରେ ହୋଇଛି ।

ପୋଲିସ ତାକୁ ସୋମବାର ଗିରଫ କରିଛି । ପୋଲିସର କହିବା ଅନୁସାରେ, ବିଠଲ ପଚରାଉଚରାରେ କହିଛି ଯେ ଯେତବେଳେ ବି ତା ବାପା ମଦ ନିଶାରେ ରହୁଥିଲେ, ସେତବେଳେ ତା ଉପରେ ଆକ୍ରମଣ କରୁଥିଲେ । ତା ସହ ମାରପିଟ୍ କରୁଥିଲେ । ୬ ଡିସେମ୍ବରରେ ମଧ୍ୟ ଏପରି କିଛି ଘଟିଥିଲା । ପରଶୁରାମ ମଦ ନିଶାରେ ପୁଣିଥରେ ବିଠଲକୁ ପିଟିଥିଲା । ଏହାକୁ ନେଇ ବିଠଲ ବହୁତ ରାଗି ଯାଇଥିଲା । ରାଗରେ ହିଁ ବିଠଲ ନିଜ ବାପାଙ୍କୁ ରଡରେ ପିଟିବା ଆରମ୍ଭ କରିଥିଲା ଏବଂ ପରଶୁରାମଙ୍କ ମୃତ୍ୟୁ ହୋଇଯାଇଥିଲା ।

ନିଜ ବାପା ପରଶୁରାମଙ୍କୁ ମାରିବା ପରେ ବିଠଲ ବିଚଳିତ ହୋଇ ପଡ଼ିଥିଲା ଏବଂ ସେ ନିଜର ବାପାଙ୍କ ଶବକୁ ଲୁଚେଇବା ପାଇଁ ନିଷ୍ପତ୍ତି କରିଥିଲା । ଅଭିଯୁକ୍ତ ପୁଅ ପରଶୁରାମଙ୍କ ଶବକୁ ଘରଠୁ କିଛି ବାଟ ଦୂର ନିଜ ବିଲରେ ଥିବା ବୋରୱେଲରେ ଫୋପାଡ଼ି ବାକୁ ଚାହୁଁଥିଲା । ସେ ଏପରି ହିଁ କରିବାକୁ ଉଦ୍ୟମ କରିଥିଲା । ହେଲେ ସେ ଶବକୁ ବୋରୱେଲ ଭିତରକୁ ଫୋପାଡ଼ି ପାରିନଥିଲା । ଏହାପରେ ତା ମୁଣ୍ଡକୁ ଭୟଙ୍କର ବିଚାର ଆସିଥିଲା । ସେ ଏକ ଧାରୁଆ ଅସ୍ତ୍ରର ଯୋଗାଡ଼ କରିଥିଲା ଏବଂ ପୁଣି ସେହି ଅସ୍ତ୍ରରେ ନିଜ ପିତାଙ୍କ ଶବକୁ ପିସ୍ ପିସ୍ କରି କାଟି ଦେଇଥିଲା ।

ଖଣ୍ଡଗୁଡ଼ିକୁ ନିଜ ବିଲରେ ଥିବା ବୋରୱେଲ ଭିତରେ ଫୋପାଡ଼ି ଦେଇଥିଲା । ବାପାଙ୍କ ଶବକୁ ଫୋପାଡ଼ିବା ପରେ ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଥିଲା । କିନ୍ତୁ ଗତ ଶନିବାର ସେ ଘରକୁ ଫେରିଆସିଥିଲା ଏବଂ ପରିବାରକୁ କହିଥିଲା ଯେ ବାପାଙ୍କ ସହ ଏକ ଛୋଟ ଝଗଡ଼ା କାରଣରୁ ସେ ଘର ଛାଡ଼ି ପଳାଇଥିଲା । ଯେତବେଳେ ଘର ଲୋକେ ତାକୁ ତା ବାପାଙ୍କ ବିଷରେ ପଚାରିଥିଲେ, ତେବେ ସେ କହିଥିଲା ଯେ ତାକୁ ବାପାଙ୍କ ବିଷୟରେ କିଛି ଜଣାନାହିଁ । ପରିବାର ଲୋକେ ମାମଲାର ସୂଚନା ପୋଲିସକୁ ଦେଇଥିଲେ ।

ପୋଲସ୍ ତଦନ୍ତ ଆରମ୍ଭ କରିଥିଲା । ଅଞ୍ଚଳରେ ପରଶୁରାମଙ୍କୁ ଖୋଜିଥିଲା । ସାଙ୍ଗ, ସମ୍ପର୍କୀୟ ଏବଂ ପଡୋଶୀଙ୍କୁ ପରଶୁରାମଙ୍କ ସମ୍ପର୍କରେ ପଚରା ଯାଇଥିଲା । କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ତଦନ୍ତ ଆଗକୁ ବଢ଼ିବା ସହ ପୋଲିସକୁ ବିଠଲ ଉପରେ ସନ୍ଦେହ ହୋଇଥିଲା । ଏହି ଆଧାରରେ ପୋଲିସ ସୋମବାର ବିଠଲକୁ ପଚରା ଉଚରା ପାଇଁ ହେପାଜତକୁ ନେଇଥିଲା । ହେପାଜତରେ ପୋଲିସ ଯେତବେଳେ ବିଠଲକୁ ପଚରା ଉଚରା କରିଥିଲା ତ ସେ ପ୍ରଥମେ ପୋଲିସ ସାମ୍ନାରେ ନିଜକୁ ନିର୍ଦ୍ଦୋଶ କହିଥିଲା ।

ହେଲେ ପୋଲିସ ଯେତବେଳେ କଡ଼ା ଆଭିମୁଖ୍ୟ ସହ ଜେରା କରିଥିଲା ତେବେ ସେ ସତ ଓଗାରି ଥିଲା । ସେ ପୋଲିସକୁ କହିଥିଲା ଯେ ସେ କିପରି ପରଶୁରାମଙ୍କ ହତ୍ୟା କଲା ଏବଂ କିପରି ଶବକୁ ୩୦ ଖଣ୍ଡ କରି ଫୋପାଡ଼ି ଦେଇଥିଲା । ଏହାପରେ ପୋଲିସ ବିଲରେ ଜେସିବି ସହାୟତାରେ ଖୋଳିଥିଲା । ଖୋଳା ସ୍ଥାନରୁ ପରଶୁରାମଙ୍କ ଶବର କିଛି ଅଂଶବିଶେଷ ଜବତ କରାଯାଇଛି । ଏହାକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଏଥିସହିତ ପୋଲିସ ବିଠଲକୁ ଗିରଫ କରିବା ସହ ଅଧିକ ତଦନ୍ତରେ ଲାଗିଛି ।