ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକାରୀ, ଆଗରୁ ଦେଇଥିଲେ ୧୬ ଲକ୍ଷ

ମାଙ୍ଗାଲୁରୁ: ଜଣେ ବୃଦ୍ଧା ଭିକାରୀ ମନ୍ଦିରକୁ ଦାନ କରିଛନ୍ତି ଲକ୍ଷେ ଟଙ୍କା । ମାଙ୍ଗାଲୁରୁ ର ରାଜରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ୮୦ ବର୍ଷିୟ ବୃଦ୍ଧା । କେହି ଯେପରି ଭୋକିଲା ନ ରୁହନ୍ତୁ ଏହା କାମନା କରି ନିଜ ପାଖରେ ସାଇତିଥିବା ଟଙ୍କାକୁ ଦାନ କରିଦେଇଥିବା କହିଛନ୍ତି ଏହି ଭିକାରୀ ଜଣଙ୍କ । ସେ ଦକ୍ଷୀଣ କନ୍ନଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ସେ ଦାନ କରିଦେଇଛନ୍ତି । କେବଳ ଏତିକି ନୁହେଁ ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ଦିରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଦାନ କରିଛନ୍ତି ।

କର୍ଣ୍ଣାଟକର ଉଡୁପି ଜିଲ୍ଲା କୁଣ୍ଡାପୁର ତାଲୁକର କାଞ୍ଚାଗୋଡୁ ଗ୍ରାମର ଏହି ବୟସ୍କ ଅଶ୍ୱଥମ୍ମା ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଗତ ୧୮ ବର୍ଷ ଧରି ବିଭିନ୍ନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲେ। ଯେତେବେଳେ ତାଙ୍କ ପିଲାମାନେ ମରିଗଲେ ସେତେବେଳେ ବୃଦ୍ଧା ଅନ୍ୟ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କ ପାଖରେ କାମ ନ ଥିବାରୁ ସେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭିକ୍ଷା ଅର୍ଥର କିଛି ଅଳ୍ପ ଅଂଶ ବ୍ୟବହାର କରିଥିଲେ। ଅନ୍ୟ ସବୁ ଟଙ୍କା ଏକ ବ୍ୟାଙ୍କରେ ଜମା କରିଥିଲେ। ଏହାକୁ ସେ ଏବେ ମନ୍ଦିରକୁ ଦାନ ଦେଇଛନ୍ତି।

ସୂଚନା ଅନୁସାରେ, ମହିଳା ଜଣକ ପୋଲାଲି ମନ୍ଦିର ସାମ୍ନାରେ ହେଉଥିବା ବାର୍ଷିକ ଯାତ୍ରା ମହୋତ୍ସବ ସମୟରେ ପ୍ରାୟ ଏକ ମାସ ଭିକ ମାଗିଥିଲେ। ଯେଉଁଥିରୁ ତାଙ୍କୁ ପ୍ରାୟ ଲକ୍ଷେ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଶୁକ୍ରବାର ସେ ମନ୍ଦିରକୁ ସାମୁହିକ ଭୋଜନ କାର୍ଯ୍ୟକ୍ରମ ପାଇଁ ଦାନ କରିଛନ୍ତି।

ଏହି ଟଙ୍କା ଦାନ କରିବା ନେଇ ଅଶ୍ବଥମ୍ମା କହିଛନ୍ତି ଯେ, ଲୋକମାନେ ଦେଇଥିବା ଭିକ୍ଷା ମୁଁ ତାଙ୍କୁ ଫେରାଇ ଦେଉଛି । ମୋର କେବଳ ଏତିକି ପ୍ରାର୍ଥନା କେହି ଯେପରି ଭୋକରେ ନ ରୁହନ୍ତୁ ।