ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ସହାୟତା ଅପେକ୍ଷାରେ ପରିବାର ଲୋକେ

କରଞ୍ଜିଆ : ରୋଗ ଶଯ୍ଯାରେ ପୁଅ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅର୍ଜୁନବିଲା ଗାଁର ବିଶାଲ ମହାକୁଡ ଏବେ ଅଜଣା ରୋଗରେ ପୀଡିତ ହୋଇ ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ବାପା ଓ ମାଆ ପୁଅକୁ ବିଭିନ୍ନ ମେଡିକାଲକୁ ନେଇ ନୟାନ୍ତ ହୋଇପଡିଲେଣି । ହେଲେ ପୁଅର ସ୍ଵାସ୍ଥ୍ଯ ଅବସ୍ଥା ସୁଧୁରିବା ନାଁ ଧରୁନି । ଏବେ ବିଶାଲଙ୍କ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖେ କାଣି କଉଡିଟିଏ ନାହିଁ । ଏପଟେ ତାଙ୍କୁ ଆୟୁଷ୍ମାନ ଯୋଜନାରେ କାର୍ଡ ଟିଏ ମିଳିନାହିଁ । ଫଳରେ ସେ ଆଠ ମାସ ହେଲା ରୋଗ ଶଯ୍ଯାରେ ପଡି ଛଟପଟ ହେଉଛନ୍ତି ।
ଚିକିତ୍ସା ଅଭାବରୁ ବିଶାଲଙ୍କ ସ୍ଵାସ୍ଥ୍ଯ ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଶାଲଙ୍କ ଚିକିତ୍ସା ନିମନ୍ତେ ସରକାର ଶୀଘ୍ର ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ପରିବାର ଲୋକଙ୍କ ସମେତ ଗ୍ରାମବାସୀ । ଅନ୍ଯପଟେ ସରକାରଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟ ଯୋଜନାକୁ ସମାଲୋଚନା କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋଲକ ବିହାରୀ ନାୟକ । ବିଶାଲଙ୍କ ଚିକିତ୍ସା ପାଇଁ ସରକାର ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।