ନିର୍ବାଚନ ଫଳାଫଳର ଦିନକ ପରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକୁ ଗୁଳିକରି ହତ୍ୟା

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିକୁ ଆଜି ରାଜସ୍ଥାନର ଜୟପୁରରେ ଗୁଳିକରି ହତ୍ୟା କରାଯାଇଛି  । ଶ୍ୟାମନଗରରେ ଥିବା ତା ଘରେ ପଶି ଆତତାୟୀ ମାନେ ତାକୁ ହତ୍ୟା କରିଛନ୍ତି  । ଘଟଣା ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ସେଠାରେ ପୋଲିସ ମୁତୟୱ କରାଯାଇଛି  ।

ସୁଖଦେବ ସିଂ ଉପରେ ଚାରି ରାଉଣ୍ଡ ଗୁଳିମାଡଜ କରାଯାଇଛି  । କେଉଁମାନେ ଗୁଳି ଚଳାଇଛନ୍ତି ସେନେଇ କୌଣସି ସୁରାକ ମିଳିନାହିଁ  । ସୁଖଦେବ ବହୁଦିନ ଧରି ରାଷ୍ଟ୍ରୀୟ କରଣୀ ସେନା ସହ ଜଡିତ ଅଛନ୍ତି  । କରଣୀ ସେନା ସଙ୍ଗଠନରେ ଦୀର୍ଘଦିନରୁ ଚାଲିଥିବା ବିବାଦ ପରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନାମରେ ଭିନ୍ନ ସଙ୍ଗଠନ ଗଠନ କରିଥିଲେ  । ଗୋଗାମେଡି ତାର ଅଧ୍ୟକ୍ଷ ଥିଲେ  । ଫିଲ୍ମ ପଦ୍ମାବତ ଓ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ ଏନକାଉଣ୍ଟର କେସ୍‌ ପରେ ରାଜସ୍ଥାନ ବିରୋଧ ପ୍ରଦର୍ଶନରେ ଚର୍ଚ୍ଚାରେ ଥିଲେ ସୁଖଦେବ ସିଂ  ।

ସୁଖଦେବ ସିଂକୁ ଗୁଳି ମାଡ ପରେ ପୁରା ଜୟପୁର ସହରରେ ପୋଲିସ ହାଇଆଲର୍ଟ ମୋଡ୍‌ରେ ରହିଛି  । ସେପଟେ ଅନ୍ୟ ଅଞ୍ଚଳରେ ବି ହାଇଆଲର୍ଟ ଜାରି କରାଯାଇଛି  । ଆକ୍ରମଣକାରୀଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ  । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି  । ଗୋଗାମେଡି ଦୀର୍ଘଦିନରୁ ନିଜ ସୁରକ୍ଷା ପାଇଁ ଦାବି କରିଆସୁଥିଲେ  ।