କରନ୍ ଜୋହରଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରନ ଜୋହରଙ୍କ ନାଁ

ମୁମ୍ବାଇ: ସଲମାନଙ୍କ ପରେ ଏବେ ବଲିଉଡର ଫେମସ୍ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର । ସିଦ୍ଧୁ ମୁସେଓ୍ବାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ କରନ ଜୋହର୍ । ଏହି ଗ୍ୟାଙ୍ଗ ପକ୍ଷରୁ କରନଙ୍କୁ ହତ୍ୟା କରିବା ପାଇଁ ଯୋଜନା ଥିଲା । ଏହି ଘଟଣା ଏବେ ସାମ୍ନାକୁ ଆସିଛି । ସିଦ୍ଧୁ ମୁସେଓ୍ବାଲା ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଏ ନେଇ ବଡ଼ ଖୁଲାସା କରିଛି ।

ବଲିଉଡ ଅଭିନେତା ସଲାମାନ ଖାନ ଏବଂ ତାଙ୍କ ବାପା ସଲିମ୍ ଖାନଙ୍କୁ ମିଳିଥିବା ହତ୍ୟା ଧମକର ଏ ଯାଏ ପର୍ଦ୍ଦାଫାସ ହୋଇ ନଥିଲାବେଳେ ଏବେ ଏହି ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି ।

ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, କରନଙ୍କୁ ହତ୍ୟା କରିବା ପଛରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଜଡ଼ିତ ଥିଲା ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରନ ଜୋହରଙ୍କ ନାଁ ରହିଛି। ସଲମାନ ଖାନଙ୍କୁ ଧମକ ମାମଲାରେ ପଚରାଉଚରା ବେଳେ ପୁଣେ ପୁଲିସକୁ ସୌରଭ କହିଛି ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ହିଁ ଦାୟୀ।  ସେଥିପାଇଁ ଆମେ କରନଙ୍କୁ ଧମକ ଦେଇ ୫ କୋଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲୁ। ଯଦି ସେ ଟଙ୍କା ଦେଇନଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତୁ ବୋଲି ସେ ପୋଲିସକୁ କହିଛି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଚଳଚ୍ଚିତ୍ର ଶିଳ୍ପକୁ ଦୋହଲାଇ ଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ କରନ ଜୋହର ଟାର୍ଗେଟରେ ଥିଲେ। ବଲିଉଡରେ ନେପୋଟିଜମର ଶିକାର ହୋଇ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ଥିଲେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା।

ସେତେବେଳେ ଏହା ମଧ୍ୟ କୁହାଯାଉଥିଲା ଯେ, କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରା ସୁଶାନ୍ତ ସିଂହ ରାଜପୁତଙ୍କ ପରି ଇଣ୍ଡଷ୍ଟ୍ରି ବାହାର ଲୋକଙ୍କ ଅପେକ୍ଷା ଷ୍ଟାରକିଡସମାନଙ୍କୁ ପସନ୍ଦ କରନ୍ତି। ଏଥିପାଇଁ ସୁଶାନ୍ତ ଡିପ୍ରେସନରେ ଆତ୍ମହତ୍ୟା କରିଥିଲେ। ତେବେ ପରେ ଏହି ଦାବି ପ୍ରମାଣିତ ହୋଇପାରିନଥିଲା। ସେତେବଳେ ଏହି ବିଷୟ ବିଭିନ୍ନ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।