ଜେଲରେ ଲେମ୍ବୁ ସ୍କାମ୍, ଜେଲ୍ ବିଭାଗ ଅଧିକାରୀ ସସପେଣ୍ଡ

Kapurthala Modern Jail .TribunePhoto:Malkiat Singh.

ପଞ୍ଜାବ: ଚିନି, କୋଇଲା, ବ୍ୟାଙ୍କ ଆଦି କ୍ଷେତ୍ରରେ ହୋଇଥାଏ ସ୍କାମ । ମାତ୍ର ଏବେ ଏକ ନୂଆ ସ୍କାମ ପଦାକୁ ଆସିଛି । ତାହା ହେଲା ଲେମ୍ବୁ ସ୍କାମ । ଲେମ୍ବୁ ସ୍କାମ ପଦାକୁ ଆସିବା ପରେ ସସପେଣ୍ଡ ହୋଇଛନ୍ତି ପଞ୍ଜାବର ଜଣେ ଜେଲ୍ ବିଭାଗ ବରିଷ୍ଠ ଅଫିସର । ଲେମ୍ବୁର ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏହାର ସୁଯୋଗ ନେଇ ଜାଲିଆତି କରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି କପୁରତାଲା ମଡର୍ଣ୍ଣ ଜେଲ ଅଧୀକ୍ଷକ ଗୁରନାମ ଲାଲ୍ । ଜେଲ୍ ଅନ୍ତେବାସୀଙ୍କ ଲାଗି ଉଦ୍ଦିଷ୍ଟ ଅର୍ଥର ଅପବ୍ୟବହାର ଅଭିଯୋଗ କ୍ରମେ ତାଙ୍କୁ ସସପେଣ୍ଡ କରାଯାଇଛି ।

ଅନ୍ତେବାସୀଙ୍କ ଲାଗି ୫୦ କେଜି ଲେମ୍ବୁ କିଣିଥିବା ନେଇ ଅଧୀକ୍ଷକ ଦର୍ଶାଇଥିଲେ ବି ବାସ୍ତବରେ ଏହି ଲେମ୍ବୁ ଅନ୍ତେବାସୀ ପାଇ ନଥିଲେ । ଗତମାସରେ ଲେମ୍ବୁ ଦର କିଲୋ ପିଛା ୨୦୦ ଟଙ୍କା ହୋଇଥିବାବେଳେ ୫୦ କେଜି ଲେମ୍ବୁ କିଣାଯାଇଥିବା ନେଇ ବଲ୍‌ରେ ଦର୍ଶାଯାଇଥିଲା । ଜେଲ୍ ବିଭାଗରେ କ୍ରୟ ହୋଇଥିବା ସାମଗ୍ରୀ ସଂକ୍ରାନ୍ତ ବିଲ୍‌ର ଯାଞ୍ଚ ବେଳେ ଏହି ତଥ୍ୟ ପଦାକୁ ଆସିଥିଲା । ଏହି ଘଟଣା ପଦାକୁ ଆସିବା ପରେ ପଞ୍ଜାବର ଜେଲମନ୍ତ୍ରୀ ହରଜୋତ ସିଂ ବାଇନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ଗୁରନାମ ଲାଲ୍‌ଙ୍କୁ ସସପେଣ୍ଡ କରାଯାଇଛି । ଖାଦ୍ୟପଦାର୍ଥ ଠିକ୍ ମିଳୁ ନଥିବା ନେଇ ଅନ୍ତେବାସୀ ଅଭିଯୋଗ କରିବା ପରେ ଏହି ତଥ୍ୟ ପଦାକୁ ଆସିଥିଲା ।