ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର। ସାମାନ୍ୟ ବର୍ଷାରେ ଛାତରୁ ଗଳୁଛି ପାଣି। ନିଜେ ପାର୍ବତୀ ମାଆ ମଧ୍ୟ ବର୍ଷାରେ ଓଦା। ଛାତରୁ କେଉଁଠି ସିମେଣ୍ଟ ଛାଡ଼ି ଗଲାଣି ତ କେଉଁଠି ଛାତ ଫାଟି ଆଁ କଲାଣି। ବାରମ୍ବାର ପ୍ରଶାସନ, ଦେବତର ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି।

ବିପଦରେ କପିଳାସର ମାଆ ପାର୍ବତୀଙ୍କ ମନ୍ଦିର। ଏଠାରେ ଯିଏ ପ୍ରଭୁ ଚନ୍ଦ୍ର ଶେଖରଙ୍କୁ ଦର୍ଶନ କରେ ମାଆ ପାର୍ବତୀଙ୍କୁ ଦର୍ଶନ କରିଥାଏ। କିନ୍ତୁ ପାର୍ବତୀଙ୍କ ମନ୍ଦିରରେ ଦର୍ଶନ ତ ଦୂରର କଥା, ଠିଆ ହେବାକୁ ଲୋକେ ଭୟ କରୁଛନ୍ତି। ସାମାନ୍ୟ ବର୍ଷାରେ ପାଣି ଛାତରୁ ଗଳୁଛି। ନିଜେ ପାର୍ବତୀ ମାଆ ମଧ୍ୟ ବର୍ଷାରେ ଓଦା। ବର୍ଷା ପାଣିରୁ ପକ୍ଷା କରିବା ପାଇଁ ସିନ୍ଧୁକ ଉପରେ ଜରି ଘୋଡା ହୋଇଛି। ଛାତରୁ କେଉଁଠି ସିମେଣ୍ଟ ଛାଡ଼ି ଗଲାଣି ତ କେଉଁଠି ଛାତ ଫାଟି ଆଁ କଲାଣି। ବାରମ୍ବାର ପ୍ରଶାସନ, ଦେବତର ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି।  ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ଦିର ସେବକ ଓ ପୂଜାରୀ।

ପ୍ରଶାସନିକ ସ୍ତରରେ ବ୍ୟାପକ ସମନ୍ୱୟର ଅଭାବ ଯୋଗୁ ରାଜ୍ୟ ଏବଂ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଅବ୍ୟବସ୍ଥା ଘେରରେ। ଅନ୍ଯପଟେ  ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ କପିଳାସ ପୀଠର ମୁଖ୍ୟ ମନ୍ଦିର ତଥା ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ଓ ଭୋଗ ମଣ୍ଡପକୁ ମରାମତି କରାଯାଇଥିବା ବେଳେ ମାଆ ପାର୍ବତୀଙ୍କ ମନ୍ଦିର ଆଜି ପର୍ଯ୍ୟନ୍ତ କାହିଁକି  ମରାମତି ହେଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଠିକ୍ ଭାବରେ କାମ କରୁନାହିଁ ।