ଗାନ୍ଧୀ ପରିବାରକୁ ଟାର୍ଗେଟ କଲେ ସିବଲ: ଟାଗୋର କହିଲେ, ଆରଏସ୍‌ଏସ୍‌-ବିଜେପିର ଭାଷା କହୁଛନ୍ତି

1 min read

ନୂଆଦିଲ୍ଲୀ: ପୁଣି କଂଗ୍ରେସରେ ଦେଖାଦେଇଛି ଅନ୍ତଃକନ୍ଦଳ । ଦଳର ବରିଷ୍ଠ ନେତା କପିଲ ସିବଲଙ୍କ ପ୍ରତିକ୍ରିୟାର କଡ଼ା ଜବାବ ରଖିଛନ୍ତି ଲୋକସଭାରେ ଦଳୀୟ ସଚେତକ ମନିକମ୍ ଟାଗୋର । ସିବଲ୍ ବିଜେପି-ଆରଏସ୍ଏସର ଭାଷା କହୁଥିବା ସେ କହିଛନ୍ତି ।

ଗାନ୍ଧୀ ପରିବାରର ନେତୃତ୍ୱ ବିନା ଦଳ ଜନତା ପାର୍ଟି ପାଲଟିଯିବ । ଏହା ଦ୍ୱାରା କଂଗ୍ରେସ ଦଳକୁ ସହଜରେ ଭାଙ୍ଗି ହେବ ଏବଂ ଆଇଡିଆ ଅଫ୍ ଇଣ୍ଡିଆ (ଭାରତର ଚିନ୍ତାଧାରା)କୁ ମାରିହେବ । ଏଣୁ ଆରଏସ୍ଏସ୍ ଏବଂ ବିଜେପି ନେହେରୁ ଏବଂ ଗାନ୍ଧୀ ପରିବାରକୁ କଂଗ୍ରେସ ନେତୃତ୍ୱରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି  ଟାଗୋର । ତେବେ କପିଲ ସିବଲ ଏହା ଜାଣି ମଧ୍ୟ କାହିଁକି ବିଜେପି ଏବଂ ଆରଏସ୍ଏସ୍‌ର ଭାଷା କହୁଛନ୍ତି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ।

କପିଲ ସିବଲ ପୂର୍ବରୁ କହିଛନ୍ତି ଯେ, ଗାନ୍ଧୀ ପରିବାର କଂଗ୍ରେସ ଦଳର ଦାୟିତ୍ୱରୁ ଓହରି ଅନ୍ୟ କାହାକୁ ଦାୟିତ୍ୱ ଦେବାର ଆବଶ୍ୟକତା ରହିଛି । ମୁଁ ସବ୍‌କା କଂଗ୍ରେସ ଚାହେଁ । କିଛି ଲୋକେ ଘର କା କଂଗ୍ରେସ ଚାହୁଁଛନ୍ତି  ବୋଲି ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି କପିଲ ସିବଲ ।  ରବିବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ପରେ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି ।

ସୂଚନା ଯୋଗ୍ୟ ଯେ, ଗତ ରବିବାର ୫ରାଜ୍ୟରେ ଶୋଚନୀୟ ପରାଜୟ ପରେ ରବିବାର କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫ଘଣ୍ଟାର ବୈଠକ ପରେ ସୋନିଆ ଗାନ୍ଧୀ ପୂର୍ବ ଭଳି ଅଧ୍ୟକ୍ଷା ରହିବେ ବୋଲି ନିଷ୍କର୍ଷ ବାହାରିଥିଲା । ତେବେ କଂଗ୍ରେସଠୁ ଲୋକେ କାହିଁକି ମୋଡୁଛନ୍ତି ମୁହଁ ? ଦଳ ପ୍ରତି କାହିଁକି ବଢୁଛି ଅସନ୍ତୋଷ ? କ’ଣ ରହିବ ଭବିଷ୍ୟତ ଏଜେଣ୍ଡା ନେଇ ବୈଠକରେ ଆଲୋଚନା ହୋଇଥିଲା । ଦଳକୁ ଏକଜୁଟ୍‌ କରି ଦେଶ ପାଇଁ ଲଢିବାକୁ ସୋନିଆ ଆହ୍ୱାନ ଦେଇଛନ୍ତି । ବୈଠକରେ କଂଗ୍ରେସର ଆଗାମୀ ଅଧ୍ୟକ୍ଷ ପଦ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଆଗାମୀ ଦିନରେ ମଧ୍ୟ ସୋନିଆ ଦଳର ଅଧ୍ୟକ୍ଷା ରହିବେ ବୋଲି ମତ ଦେଇଥିଲେ ସମସ୍ତ ନେତା ।

ଏଥିସହିତ ପଢ଼ନ୍ତୁ: ସୋନିଆ ହିଁ ରହିବେ କଂଗ୍ରେସ ଅଧ୍ୟକ୍ଷା