ଭୁବନେଶ୍ୱରରେ ଫିଲ୍ମ ସୁଟିଂ କରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା

ଭୁବନେଶ୍ୱର: ବଲିଉଡର ପ୍ରତିଷ୍ଠିତ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ଫିଲ୍ମ ନିର୍ମାଣ କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସ । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିଲା । ଯାହାକୁ ଦେଖିବା ଲାଗି ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଜମିଥିଲା । କପିଲ ଆସୁଥିବା ଶୁଣି ବହୁ ପ୍ରଶଂସକ ରାସ୍ତାରେ ଏବଂ ସୁଟିଂ ସ୍ଥଳରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।

ସେଥିପାଇଁ ରାସ୍ତାରେ କିଛି କ୍ଷଣ ପାଇଁ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ବହୁତ ଦୂରର ଛିଡ଼ା ହୋଇ ସୁଟିଂ ଦେଖୁଥିଲା ବେଳେ ଫଟୋ ଏବଂ ଭିଡିଓ ସୁଟିଂ ଲାଗି ବାରଣ କରାଯାଇଥିଲା । ଏହି ସିନେମାର ଟାଇଟଲ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରାଯାଉନି । ସିନେମାର ପ୍ରତିଟି ଘଟଣାକୁ ସସ୍‌ପେନ୍ସ ରଖାଯାଉଥିବା ସୂଚନା ଦିଆଯାଇଛି । କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକା ତୁଲାଇବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି। ଆପ୍‌ଲାଉଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍‌ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ଅଧିକାଂଶ କଳାକାର ଭୁବନେଶ୍ୱରରେ ରହିଛନ୍ତି । ଏବଂ ଏହାର ସୁଟିଂ ରାଜଧାନୀର ବିଭିନ୍ନ ସ୍ଥାନରେ କରାଯିବ ବୋଲି ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ପରାଜୟ ଟ୍ରେଣ୍ଡକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସ ଚଳାଇଲା ଲାଠି

 

Leave a Reply