ନଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ କଣ୍ଟାମାଳ ଚାଷୀ

କଣ୍ଟାମାଳ : ପ୍ରଥମେ ଭଲ ବର୍ଷା ହେଲା । ଏବେ ନିଅଣ୍ଟିଆ । ଚାଷ କାର୍ଯ୍ୟ ପ୍ରଭାବିତ । ସୃଷ୍ଟି ହେଲାଣି ମରୁଡ଼ି ସ୍ଥିତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଏବେ ବର୍ଷା ଅଭାବ ଯୋଗୁଁ ଅଂଚଳରେ ଜଳ ସେଚନ ବ୍ୟବସ୍ଥା ନଥିବା ଚାଷ ଜମି ଗୁଡିକ ଶୁଖିଲା ପଡ଼ିଲାଣି । ସୁରୁଖୁରୁରେ ରେ ଆରମ୍ଭ ହୋଇଥିଲା ଚାଷ । ହେଲେ ଏବେ ଭାଦ୍ରବରେ ଚାଷୀଙ୍କୁ ବର୍ଷା ସାଜିଛି ଦାଉ । କେଉଁଠି ମାଟି ଫାଟି ଆଁ କଲାଣି ତ କେଉଠି ଶୁଖିଲା ପଡି ଟାଙ୍ଗରା ହୋଇଗଲାଣି ଜମି । ଶୁଖିଲା ଖେତ କୁ ଦେଖି ମୁଣ୍ଡରେ ହାତ ଦେବାକୁ ବସିଲେଣି ଚାଷୀ । ଯଦି ଆଗକୁ ଏପରି ବର୍ଷାର ଅଭାବ ଲାଗି ରୁହେ ତେବେ ଚଳିତ ଖରିପ ଋତୁ ରେ ଚାଷୀ ମରୁଡି ପରିସ୍ଥିତିର ସମ୍ମୁଖୀନ ହେବେ । ବ୍ଲକର ଖଇରମାଲ ଓ ଦେଉଲି ଠାରେ ଚାଷୀଙ୍କ ଜଳ ସେଚନ ସୁବିଧା ପାଇଁ ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ରହିଛି । ହେଲେ ଏହି ପ୍ରକଳ୍ପରୁ ଚାଷୀମାନେ ପାଣି ପାଇପାରୁନଥିବା ଅଭିଯୋଗ ହୋଇଛି ।
ବାରମ୍ବାର ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ପାଣି ଯୋଗାଇ ଦେବାକୁ ଦାବି ହୋଇଛି । ହେଲେ ଫଳ ଶୂନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗୁଡଭେଲି ପଦର, ଡ଼ଙ୍ଗାଝୋଳ, ଡାଙ୍ଗମୁଣ୍ଡା ଗ୍ରାମର ଚାଷୀ ପାଣି ଯୋଗାଇବା ପାଇଁ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ ଚାଷୀ । ସେପଟେ ଫିଲଡ ଯାଇ ତଦନ୍ତ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବେ ବୋଲି କହିଛନ୍ତି କଣ୍ଟାମାଳ ମେଗା ଉଠା ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ।