୩ ବର୍ଷ ହେଲା ସରିଲାନି କାମ, ପ୍ରଶାସନ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକାରୁ ହନ୍ତସନ୍ତ ଲୋକେ
1 min read
କଣ୍ଟାମାଳ : ୩ ବର୍ଷ ବିତିଲା । ନିର୍ମାଣ ଅବଧି ବି ସରିଲା । ଅଥଚ ସରିଲାନି କାମ । ନାଳ ଉପରେ ଅଧପନ୍ତରିଆ ଭାବେ ଠିଆ ହୋଇଛି ପୋଲ । ଏ ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରୁ କଣ୍ଟାମାଳ ଦେଇ ଖୁଣ୍ଟିଗୋରାକୁ ସଂଯୋଗ କରୁଥିବା ମଲିକୁଦ ଠାରେ ଥିବା ଚିଚେଡ ନାଳ ଉପରେ ନିର୍ମାଣଧୀନ ପୋଲ । ଏହି ପୋଲ ପାଇଁ ପୂର୍ବ ସରକାରଙ୍କ ସମୟରେ କାର୍ଯ୍ଯାଦେଶ ହୋଇଥିଲା । ଚବିଶରେ ସରକାର ବଦଳିଲେ ସିନା ପୋଲ କାମ ସଂପୂର୍ଣ୍ଣ କିନ୍ତୁ ହୋଇ ପାରିଲାନାହିଁ । ଲୋକଙ୍କ ଗମନାଗମନ ପାଇଁ ଏକ ଡାଇଭର୍ସନ ରାସ୍ତା ନିର୍ମାଣ ହୋଇଛି ସତ କିନ୍ତୁ ତାହା ବି ବିପଦପୂର୍ଣ୍ଣ ଅବସ୍ଥାରେ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
ପୋଲ ନିର୍ମାଣ ପାଇଁ ୭ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ପୋଲ ନିର୍ମାଣ ଦାୟିତ୍ଵ ଶ୍ୟାମଜୀ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼କୁ ଦିଆଯାଇଥିଲା । ହେଲେ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନମାନି ଯୋଗୁଁ ପୋଲ କାମ ଆଗେଇ ପାରୁନି । ଶୀଘ୍ର ପୋଲ କାର୍ଯ୍ଯ ସାରିବାକୁ ସାଧାରଣରେ ଦାବି ଜୋର ଧରିଛି । ଅନ୍ଯପଟେ କାମ ବିଳମ୍ୱକୁ ସ୍ୱୀକାର କରିବା ସହ ଏହି ବର୍ଷ ଶେଷ ସୁଦ୍ଧା କାମ ସରିବ ଓ ଲୋକେ ଯିବା ଆସିବା କରିବେ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ l ପୋଲ ନିର୍ମାଣ କାମ କେବେ ସରୁଛି, ଲୋକେ ତାର କେବେ ସୁବିଧା ପାଉଛନ୍ତି । ତାହା ଉପରେ ସମସ୍ତଙ୍କ ରହିଛି ନଜର ।