ଆବାସ ଯୋଜନାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ରାବିଡ଼ି ଗାଁର ବୃଦ୍ଧ ଅଭିଳ କର୍ମୀ
1 min read
କଣ୍ଟାମାଳ : ଛିଣ୍ଡା ଜରିପାଲ ପକ୍କା ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ସାହାରା ଦେଇଛି ଭଙ୍ଗା ଝାଟିମାଟି କାନ୍ଥ । ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ । ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାବିଡ଼ି ଗାଁର ୭୦ ବର୍ଷୀୟ ବୃଦ୍ଧ ଅଭିଳ କର୍ମୀଙ୍କ କଥା । ବିପଦ ଶଙ୍କୁଳ ଅବସ୍ଥାରେ ଭଙ୍ଗା ଦଦରା ଘରେ ୨ ଅବିବାହିତ ଝିଅଙ୍କ ସହତ ଦିନ କାଟୁଛନ୍ତି ଅଭିଳ । କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଘରକୁ ଢାଙ୍କି ରଖିବାକୁ ନଡ଼ା ଥୁଆ ହୋଇଛି । ତେବେ ଏହି ପରିବାରକୁ ଦେଖିଲେ ଆବାସ ଯୋଜନା ବାଟବଣା ସଦୃଶ ମନେହୁଏ । ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ନମିଳିବା ଓ ବିଭାଗୀୟ ଅଧିକାରୀଙ୍କ ନଜର ନପଡ଼ିବାକୁ ନେଇ ପ୍ରଶ୍ଵବାଚୀ ସୃଷ୍ଟି ହୋଇଛି । ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନଥିବା ବେଳେ ଏସଇସିସି ତାଲିକାରେ ଥିବା ନାମକୁ କାଟି ଦିଆଯାଇଥିବା କହିଛନ୍ତି ଅଭିଳ କର୍ମୀ ।
ବୟସର ଅପରାହ୍ନରେ ରୋଜଗାର କରିବା ଅଭିଳଙ୍କ ପକ୍ଷେ ସମ୍ଭବପର ନୁହେଁ । ୨ ଅବିବାହିତ ଝିଅ ପର ଘରେ ମୂଳ ଲାଗି ଆଣିଲେ ସେଥିରେ ୪ ପ୍ରାଣୀ କଷ୍ଟେମଷ୍ଟେ ଚଳିଯାଆନ୍ତି । ଦୀର୍ଘ ଦିନ ହେବ ଏହି ଝାଟି ମାଟି ଘରଟି ଭାଙ୍ଗିଯାଇଛି । ଆର୍ଥିକ ଅନଟନ ଭିତରେ ଏହି ଭଙ୍ଗା ଦଦରା ଘରକୁ ସଜାଡ଼ିବାକୁ ଅଭିଳଙ୍କ ପାଖରେ ସମ୍ଵଳ ନାହିଁ । କୌଣସି ସମୟରେ ଫଟା କାନ୍ଥ ଭୁଶୁଡ଼ି ପଡ଼ିବ ତାହା କହି ହେବନାହିଁ । ଯାହାଫଳରେ ପୁରା ପରିବାର ଏହି ଭଙ୍ଗା ଦଦରା ଘରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି I ଯେଉଁଠି ଦି ଓଳି ଖାଇବା ସମ୍ଭବ ନୁହେଁ ସେଠୀ ଘର ମରାମତି କି ତିଆରି କଥା ପଚାରେ କିଏ | ବର୍ଷା ଦିନ ଆସିଲେ ପାଣି ଗଳୁଥିବାରୁ ଘର ସାରା ପାଣି ହୋଇ ଦିନ ଦିନ ମଧ୍ୟ ଉପାସରେ ରହିବାକୁ ପଡ଼େ । ତେଣୁ ଅଭିଳଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥି ସୁବିଧାରୁ ବାଦ ପଡୁଛନ୍ତି । କିଛି ସରକାରୀ ବାବୁଙ୍କ ଅବହେଳାରୁ ଆବାସ ଯୋଜନାରୁ ବଞ୍ଚିତ ଅଭିଳଙ୍କୁ ଘରଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି ।