ଶରତର ଆଗମନରେ ମନ ମୋହୁଛି କାଶତଣ୍ଡୀ

କଣ୍ଟାମାଳ: କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ ।  ସରୋବରେ ଫୁଟିଅଛି କୁମୁଦ କମଳ । ଧରାକୁ ଛୁଇଁଛି ପାର୍ବଣ  । ସଜେଇ ହୋଇଛି ପ୍ରକୃତି ରାଣୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ସତେ ଯେମିତି ମାଆଙ୍କ ସ୍ବାଗତ ପାଇଁ ବାହୁମେଲାଇ ବସିଛି କାଶତଣ୍ଡୀ ଫୁଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ନଇକୂଳ, ଧାନ ଖେତ, ପୋଖରୀତୁଠ, ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡୀର ସମ୍ଭାର । କଅଁଳିଆ ପବନରେ ଦୋଳିଖେଳି ଖେଳି ବାଟୋଇଙ୍କୁ ଆନମନା କରୁଛି ଧୋବ ଫରଫର କାଶତଣ୍ଡୀ । ସତେ ଯେମିତି ଶସ୍ଯ ଶ୍ଯାମଳା ଧରଣୀରେ ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ । ଯାହାକୁ ଦେଖି କବି ଲିଖନୀରୁ ଝରିପଡୁଛି ଅନେକ କବିତା ।

ଧରାପୃଷ୍ଠରେ ପାର୍ବଣ ଆସିଲେ କାଶତଣ୍ଡୀର ପସରା ଦେଖିବାକୁ ମିଳେ । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା । କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଛି ପ୍ରକୃତିରାଣୀ । ଧରଣୀ କୋଳରେ ବେଶ ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।