ଶୁଭାରମ୍ଭର ୫ ମାସ ପରେ ବି ଲୋକଙ୍କ କାମରେ ଆସୁନି ନଗର ବନ
1 min read
କଣ୍ଟାବାଞ୍ଜି : ଲୋକଙ୍କ କାମରେ ଆସୁନି ନଗର ବନ । ଶୁଭାରମ୍ଭର ୫ ମାସ ପରେ ମଧ୍ୟ ହୋଇପାରିଲାନି କାର୍ଯ୍ୟକ୍ଷମ । ନଷ୍ଟ ହେବାକୁ ବସିଛି ଉପକରଣ । ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ପୁଞ୍ଜିପଥର-ସର୍ଗିଗୁଡ଼ା ରାଜ୍ୟ ରାଜପଥ କଡ଼ରେ ନିର୍ମାଣ ହୋଇଛି ନଗର ବନ । ଏହି ସୁନ୍ଦର ନଗର ବନରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉପକରଣ ଖଞ୍ଜାହୋଇଛି । ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳିଠାରୁ ଆରମ୍ଭ କରି ବିଭିନ୍ନ ଖେଳକୁଦ ଉପକରଣ ରହିଛି । ସେହିପରି ଯୁବ ବର୍ଗଙ୍କ ପାଇଁ ଓପନ ଜିମ ବ୍ୟବସ୍ଥା ରହିଥିବା ବେଳେ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ବିଭିନ୍ନ ଉପକରଣ ରହିଛି । ହେଲେ ଏହି ସବୁ ଉପକରଣ ଏବେ ଲୋକଙ୍କ କାମରେ ଆସୁନଥିବାରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି ।
୧୮ ହେକ୍ଟର ପରିମିତ ଜମିରେ ତିଆରି ହୋଇଥିବା ନଗର ବନ ପାଇଁ ରାଜକୋଶରୁ ଏପର୍ଯ୍ୟନ୍ତ ୭୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଚଳିତ ବର୍ଷ ଗତ ଜାନୁଆରୀ ମାସରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ନଗର ବନ ଶୁଭାରମ୍ଭ ପରେ ଲୋକଙ୍କ କାମରେ ଆସିବ ବୋଲି ଲୋକେ ଖୁସି ବ୍ୟକ୍ତ କରିଥିଲେ । ହେଲେ ଶୁଭାରମ୍ଭର ୫ ମାସ ପରେ ମଧ୍ୟ ନଗର ବନ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ । ସେପଟେ ଆଉ କିଛି କାମ ବାକି ଅଛି । କାମ ଶେଷ ପରେ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଏସିଏଫ । କାମ ବାକିଥିବା ବେଳେ କାହିଁକି ନଗର ବନ ପ୍ରକଳ୍ପକୁ ତରବରିଆ ଭାବେ ବନ ବିଭାଗ ଶୁଭାରମ୍ଭ କରାଇଲା ବୋଲି ଏବେ ପ୍ରଶ୍ନଉଠୁଛି । ତେବେ ଦେଖିବାକୁ ବାକି ରହିଲା ନଗର ବନ କେବେ ଶୁଭାରମ୍ଭ ହେଉଛି ଏବଂ ଲୋକଙ୍କ କାମରେ ଆସୁଛି ।